Karnataka Photograph: (sambad.in)
ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳ ଜାରି ରହିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ପ୍ରଥମ ଥର କଂଗ୍ରେସ ବିଧାୟକ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାପାଇଁ ପାର୍ଟି ହାଇକମାଣ୍ଡଙ୍କୁ ଚିଠି ଲେଖିଛନ୍ତି। ୩୦ରୁ ଅଧିକ ବିଧାୟକଙ୍କ ଦସ୍ତଖତ ଥିବା ଚିଠି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଲେଖାଯାଇଛି ଏବଂ ଏହାର କପି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଏଆଇସିସି ଜେନେରାଲ ସେକ୍ରେଟାରି ଇନଚାର୍ଜ ରଣଦୀପ ସିଂହ ସୂର୍ଯେୱାଲାଙ୍କୁ ପଠାଯାଇଛି।
କର୍ଣ୍ଣାଟକ ସରକାରରେ ଏକ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କୁ ସାମିଲ କରିବାପାଇଁ ଚିଠିରେ ଅନୁରୋଧ କରାଯାଇଛି। ଚିଠିରେ କୁହାଯାଇଛି ଯେ କର୍ଣ୍ଣାଟକର ଲୋକମାନେ କଂଗ୍ରେସ ଦଳରୁ ୩୮ ଜଣ ସଦସ୍ୟଙ୍କୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ କରିଛନ୍ତି। ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ସେମାନେ ବିଧାନସଭାରେ ନୂଆ ଯୁବ ଚେହେରା ଦେଖିବାକୁ ଚାହାନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳରେ ଜଣେ ବି ନୂଆ ନିର୍ବାଚିତ ସଦସ୍ୟଙ୍କୁ ସାମିଲ କରାଯାଇନି। ତେଣୁ କର୍ଣ୍ଣାଟକରେ ୩୪ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ବିଧାୟକଙ୍କୁ ସୁଯୋଗ ଦେବାପାଇଁ ଅନୁରୋଧ କରାଯାଇଛି। ଏଏସ୍ ପୋନ୍ନାନା, ଅଶୋକ ରାୟ, ଶ୍ରୀନିବାସ ଏନ୍ଟି , ପି ରବିକୁମାର, ଏ ସି ଶ୍ରୀନିବାସ, ଏଚଏ ଇକୁବଲ ହୁସେନ, ବି ଦେବେନ୍ଦ୍ର, ନର ଭାରତ ରେଡ୍ଡି, ବିଶ୍ବାସ ବି ବୈଦ୍ୟ, ବସବରାଜ ଭି ଶିବଗଙ୍ଗା ଚିଠିରେ ଦସ୍ତଖତ କରିଛନ୍ତି।
Follow Us