ବେଙ୍ଗାଲୁରୁ: ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦରେ ଏବେ କର୍ଣ୍ଣାଟକର ନାଁ ଯୋଡ଼ି ହୋଇଯାଇଛି। ଗୁରୁବାର କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍‌ ବିଧାନସଭାରେ ମାତ୍ର ଦୁଇ ଧାଡ଼ି ଭାଷଣ ପଢ଼ିବା ପରେ ବିଧାନସଭାରୁ ବାହାରି ଚାଲି ଯାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରାଯାଇଥିବାରୁ ସେ ବିରକ୍ତି ପ୍ରକାଶ କରି ବିଧାନସଭାରୁ ଚାଲି ଯାଇଥିଲେ। ରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟ ସରକାର।

Advertisment

ଆହୁରି ପଢନ୍ତୁ- Manipur: ମଣିପୁରର ଚୁରାଚାନ୍ଦପୁରରେ ମୈତେୟୀ ବ୍ୟକ୍ତିଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା

ଗୁରୁବାର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କର୍ଣ୍ଣାଟକ ରାଜ୍ୟପାଳ ବିଧାନ ସୌଧରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ୱାଗତ କରିଥିଲେ। ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ମୋ ସରକାର ରାଜ୍ୟର ଆର୍ଥିକ, ସାମାଜିକ ଓ ଭୌତିକ ବିକାଶ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କହିବା ପରେ ସେ ଜୟ ହିନ୍ଦ୍‌ ଜୟ କର୍ଣ୍ଣାଟକ କହି ଭାଷଣ ଶେଷ କରିଦେଇଥିଲେ। ଗେହଲଟ୍‌ ମାତ୍ର ୨ ମିନିଟ୍‌ ଭାଷଣ ରଖି ଚାଲିଯିବାକୁ ନେଇ କଂଗ୍ରେସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରାଜ୍ୟପାଳ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣ ନ ପଢ଼ି ସମ୍ବିଧାନର ଉଲ୍ଲଂଘନ କରିଛନ୍ତି। ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ହାତରେ ସଖି କଣ୍ଢେଇ ପାଲଟିଛନ୍ତି। ରାଜ୍ୟପାଳଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମ‌କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବିଚାର କରୁଛନ୍ତି ବୋଲି ସିଦ୍ଦରମୈୟା କହିଛନ୍ତି।

ଆହୁରି ପଢନ୍ତୁ- BMC Mayer Race: ବିଏମ୍‌ସି ମେୟର ଦୌଡ଼: ଦେଶର ଆର୍ଥିକ ରାଜଧାନୀର ମେୟର ହେବେ ସାଧାରଣ ବର୍ଗର ମହିଳା

ଗେହଲଟ୍ ବୁଧବାର କର୍ଣ୍ଣାଟକ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ରଖିବାକୁ ମନା କରିଦେଇଥିଲେ, ଯାହା ଫଳରେ ସରକାରଙ୍କ ନୀତିକୁ ରୂପରେଖ ଦେଉଥିବା ପାରମ୍ପରିକ ଭାଷଣ ଉପରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣରେ ରହିଥିବା ୧୧ଟି ଅନୁଚ୍ଛେଦକୁ ରାଜ୍ୟପାଳ ବିରୋଧ କରୁଥିବା ଜଣାପଡ଼ିଛି। ଏଥିରେ ଜି ରାମ୍‌ ଜି ଆଇନ, ଏମ୍‌ଜିଏନ୍‌ଆର୍‌ଇଜିଏର ରଦ୍ଦ ଏବଂ ପାଣ୍ଠି ହସ୍ତାନ୍ତର ସହିତ ଜଡିତ ପ୍ରସଙ୍ଗ ରହିଥିଲା। ଗେହଲଟ୍ ସେହି ଅନୁଚ୍ଛେଦଗୁଡ଼ିକୁ ହଟେଇ ଦେବାକୁ କହିଥିଲେ। ତେବେ ରାଜ୍ୟପାଳ ବିଧାନସଭାରୁ ଚାଲି ଯିବାପରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀ ଗୃହରେ ଲଜ୍ଜା, ଲଜ୍ଜା ବୋଲି ସ୍ଲୋଗାନ ଦେଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ବିଜେପି କାର୍ଯ୍ୟାଳୟ ପାଲଟିଛି ବୋଲି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି।