ରାଜ୍ୟସଭାରେ କାସଗଞ୍ଜ ତାତି, ଗୃହ ମୁଲତବୀ

ରାଜନୈତିକ ପୃଷ୍ଠଭୂମି ଥିବା ବ୍ୟକ୍ତି ରାଜ୍ୟସଭା ପ୍ରାର୍ଥୀ ହେବେ: ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ଦେଖାଦେଇଥିବା ହିଂସା ଘଟଣାର ପ୍ରତିବାଦ କରି ଆଜି ରାଜ୍ୟସଭାରେ ସମାଜବାଦୀ ପାର୍ଟି(ଏସ୍‌ପି)ର ସାଂସଦମାନେ ଖୁବ୍‌ ହଙ୍ଗାମା କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ହିଂସାକାଣ୍ଡ ବଢ଼ିଲା ବୋଲି ସେମାନେ ଅଭିଯୋଗ ଆଣି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏହି ଅବସରରେ ସେମାନଙ୍କ ସହ ଆପ୍‌ର ନିବ ନିର୍ବାଚିତ ସାଂସଦମାନେ ଯୋଗଦେଇ ଦିଲ୍ଲୀର ସିଲିଂ ଡ୍ରାଇଭ୍‌ ବିରୋଧରେ ହୋହଲ୍ଲା କରିଥିଲେ। ଫଳରେ ଗୃହ ଦାୟିତ୍ୱରେ ଥିବା ଉପାଧ୍ୟକ୍ଷ ପି ଜେ କୁରିଏନ୍‌ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।

ଆଜି ସକାଳେ ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ରାସ୍ତା ଦୁର୍ଘଟଣାର ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଏବଂ ଆଜିର ଗୃହ କାର୍ଯ୍ୟସୂଚୀ ଘୋଷଣା ପରେ ପରେ ଏସ୍‌ପି ସାଂସଦ ରାମ ଗୋପାଳ ଯାଦବ କାସଗଞ୍ଜ ପ୍ରସଙ୍ଗ ଉଠାଇଥିଲେ। ସେଠାରେ ଉଦ୍ଦେଶ୍ୟମୂଳକ ଭାବେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ବୋଲି ସେ ଅଭିଯୋଗ ଆଣିଥିଲେ। ମୁସ୍‌ଲିମ୍‌ମାନଙ୍କ ଘରେ ପଶି ମାଡ଼ପିଟ୍‌ କରାଯାଉଥିବା ବେଳେ ସେମାନଙ୍କ ଉପରେ ମିଛ ଦୋଷ ଲଦି ଗିରଫ କରାଯାଉଛି। ସେମାନଙ୍କ ଧନ ସମ୍ପତ୍ତି ଜାଳିପୋଡ଼ି ନଷ୍ଟ କରାଯାଇଛି। ଅଥଚ ପୁଲିସ ପ୍ରକୃତ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କୁ ସମର୍ଥନ କରି ଦଳର ଅନ୍ୟ ସାଂସଦମାନେ ମଧ୍ୟ ପାଟିତୁଣ୍ଡ କରିଥିଲେ।

ଦଳ ପକ୍ଷରୁ ଏକ ନୋଟିସ ଆଣି ଏହି ପ୍ରସଙ୍ଗ ଉଠାଇବାକୁ ଉପାଧ୍ୟକ୍ଷ କୁରିଏନ୍‌ ଯେତେ କହିଥିଲେ ବି ଏସ୍‌ପି ସାଂସଦମାନେ ତାହା ଶୁଣିନଥିଲେ। ବରଂ ସମସ୍ତେ ନିଜ ଆସନ ଛାଡ଼ି ଗୃହର ମଧ୍ୟଭାଗକୁ ଚାଲିଆସିବା ସହ ଆହୁରି ହୋହଲ୍ଲା କରିଥିଲେ।

ପରେ ପରେ ଆପ୍‌ ସାଂସଦମାନେ ମଧ୍ୟ ଅନୁରୂପ ଭାବେ ଗୃହର ମଧ୍ୟଭାଗକୁ ଆସି ଦିଲ୍ଲୀର ସିଲିଂ ଡ୍ରଇଭ୍‌ ବିରୋଧରେ ସ୍ଲୋଗାନମାନ ଦେଇ ଚାଲିଥିଲେ। ଏହି ଅବସରରେ କଂଗ୍ରେସ ସାଂସଦ କେଭିପି ରାମଚନ୍ଦ୍ର ରାଓ ‘ଆନ୍ଧ୍ରକୁ ସାହାଯ୍ୟ କର’ ଲେଖା ଥିବା ଏକ ପ୍ଲାକାର୍ଡ ଧରି ଅନ୍ୟମାନଙ୍କ ସହ ସେଠାରେ ନିରବ ପ୍ରଦର୍ଶନ ଜାରି ରଖିିଥିଲେ। ସାଂସଦମାନେ କୌଣସି ପ୍ରସଙ୍ଗର ଆଲୋଚନା ପାଇଁ ନୋଟିସ୍‌ ନଦେଇ ଏପରି ହୋହଲ୍ଲା କରିବା ଶୋଭନୀୟ ନୁହେଁ ବୋଲି ଉପାଧ୍ୟକ୍ଷ କୋରିଏନ୍‌ ସେମାନଙ୍କୁ ବୁଝାଇବା ସହ ନିଜ ନିଜ ଆସନକୁ ଫେରିଯିବାକୁ କହିିଥିଲେ। ମାତ୍ର ସମସ୍ତେ ସେହିପରି ମଧ୍ୟଭାଗରେ ନିଜ ଜିଦ୍‌ରେ ଅଡ଼ିବସି ପାଟିତୁଣ୍ଡ ଚାଲୁ ରଖିବାରୁ ଗୃହକୁ ମଧ୍ୟାହ୍ଣ ଯାଏ ମୁଲତବୀ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe