ଶୀତ ଅଧିବେଶନ: ସଂସଦରେ କାଶ୍ମୀର, ଜେଏନ୍‌ୟୁ ତାତି

ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ବିରୋଧରେ କଂଗ୍ରେସର କକ୍ଷତ୍ୟାଗ

ଶୀତ ଅଧିବେଶନ: ସଂସଦରେ କାଶ୍ମୀର, ଜେଏନ୍‌ୟୁ ତାତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିବସରେ ବି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ଏବଂ କଶ୍ମୀର ପ୍ରସଙ୍ଗରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାରେ କୌଣସି କାମ ହୋଇପାରି ନଥିଲା ଏବଂ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଲୋକସଭାରେ କଂଗ୍ରେସ ସାଂସଦମାନେ ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ମାମଲା ଉଠାଇ କକ୍ଷତ୍ୟାଗ କରିଥିଲେ। ଧାରା ୩୭୦ ହଟାଯିବା ପରେ କଶ୍ମୀରରେ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯିବା ଏବଂ ନ୍ୟାସ୍‌ନାଲ କନ୍‌ଫରେନ୍ସ ନେତା ତଥା ସାଂସଦ ଫାରୁକ୍‌ ଅବଦୁଲ୍ଲାଙ୍କୁ ସଂସଦ ଆସିବାକୁ ଅନୁମତି ମିଳୁନଥିବା ମାମଲା ଉଠାଇ କଂଗ୍ରେସ ଏବଂ ଅନ୍ୟ ବିରୋଧ ଦଳମାନେ ସରକାରଙ୍କୁ ଘେରିଥିଲେ। ଏହାର ଜବାବରେ ସରକାର କହିଥିଲେ ଯେ କଶ୍ମୀର ଦ୍ରୁତ ଗତିରେ ସ୍ବାଭାବିକ ହେବାରେ ଲାଗିଛି। ସ୍କୁଲ, କଲେଜଗୁଡ଼ିକରେ ଉପସ୍ଥାନ ବଢ଼ିଛି ଏବଂ ବ୍ୟବସାୟିକ କାର୍ଯ୍ୟ ମଧ୍ୟ ଯଥାରୀତି ଚାଲିଛି। ରାଜ୍ୟରେ ସୁରକ୍ଷା ବାହିନୀ ଉପରେ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ପଥର ଆକ୍ରମଣ ଘଟଣାରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ରଖାଯାଇଥିଲା।

ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ଆସନ ନିକଟରେ ପହଞ୍ଚି ଯାଇଥିଲେ। ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ବିରୋଧରେ ସେମାନେ ପ୍ରବଳ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ଲୋକସଭାରେ ବିଏସ୍‌ପି ସାଂସଦ ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା କହିଥିଲେ। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ମାମଲାରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିଲେ। ରାଜ୍ୟସଭାରେ ମଧ୍ୟ ଜେଏନ୍‌ୟୁ ଏବଂ କଶ୍ମୀର ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା।

ଲୋକସଭାରେ ଦିଲ୍ଲୀ-ଏନ୍‌ସିଆର୍‌ ପ୍ରଦୂଷଣକୁ ନେଇ କଂଗ୍ରେସ ନେତା ମନିଷ ତିୱାରି ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ପଂଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଚାଷୀମାନେ ନଡ଼ା ଜାଳିବାକୁ ବାଧ୍ୟ ହେଉଛନ୍ତି ଏବଂ ସରକାର ଚାଷୀମାନଙ୍କୁ ଆର୍ଥିକ ସହାୟତା ଦେଉନଥିବାରୁ ଏହି ସମସ୍ୟା ସୁଧୁରୁ ନାହିଁ ବୋଲି ସେ କହିଥିଲେ। ଟିଏମ୍‌ସି ସାଂସଦ କାକୋଳି ଘୋଷ ପ୍ରଦୂଷଣ ଉପରେ ଚର୍ଚ୍ଚା କରିବା ପାଇଁ ଗୃହରେ ମାସ୍କ ପିନ୍ଧି ପହଞ୍ଚିଥିଲେ। ତେବେ ଏହାକୁ ଅନେକ ସାଂସଦ ବିରୋଧ କରିବା ପରେ ସେ ମାସ୍କ ବାହାର କରିଦେଇଥିଲେ। ଦିଲ୍ଲୀ ପ୍ରଦୂଷଣ ଉପରେ ଚର୍ଚ୍ଚା ବେଳେ ବିଜେପି ସାଂସଦ ପ୍ରବେଶ ବର୍ମା କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ନଡ଼ାପାଳ ଜାଳିବା ପ୍ରଦୂଷଣ ପାଇଁ ଦାୟୀ। ସେ ବିଜ୍ଞାପନରେ କେବଳ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପ୍ରଦୂଷଣ ରୋକିବା ଦିଗରେ ସାମାନ୍ୟ ପଦକ୍ଷେପ ନେଇନାହାନ୍ତି। ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାଶୁଥିବା ଦେଖିବାକୁ ମିଳୁଥିଲା ଏବେ ପୂରା ଦିଲ୍ଲୀ କାଶୁଛି ବୋଲି ସେ କହିଥିଲେ।

ରାହୁଲ ଛୁଟିରେ ଅଛନ୍ତି: ବାଚସ୍ପତି
ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ପ୍ରସଙ୍ଗ ଆଜି ଉଠିଥିଲା। ପ୍ରଶ୍ନକାଳରେ କଂଗ୍ରେସ ସାଂସଦ କେ. ସୁରେଶ ରାହୁଲ ଗାନ୍ଧୀଙ୍କ ଆସନକୁ ଆସି ତାଙ୍କ ବକ୍ତବ୍ୟ ରଖିବାରୁ ଏହାକୁ ବାଚସ୍ପତି ବିରୋଧ କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା କହିଥିଲେ, ରାହୁଲ ଗାନ୍ଧୀ ଛୁଟିରେ ଅଛନ୍ତି ଏବଂ ଏବଂ ତାଙ୍କ ଆସନକୁ ଆସି ଆପଣ ପ୍ରଶ୍ନ କରିପାରିବେ ନାହିଁ। ସୂଚନାଯୋଗ୍ୟ, ଶୀତ ଅଧିବେଶନ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଏ ପର୍ଯ୍ୟନ୍ତ ସଂସଦରେ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe