ଜମ୍ମୁରେ କଶ୍ମୀର ପଣ୍ଡିତଙ୍କ ଦୋକାନ ଉଚ୍ଛେଦ: ରାଜନୈତିକ ବିବାଦ ତେଜିଲା

ପ୍ରବାସୀ କଶ୍ମୀର ପଣ୍ଡିତଙ୍କ ଦ୍ବାରା ସ୍ଥାପିତ ହୋଇଥିବା ୧୨ରୁ ଅଧିକ ଦୋକାନକୁ ଜମ୍ମୁ ଉନ୍ନୟନ କର୍ତ୍ତୃପକ୍ଷ (ଜେଡିଏ) ଉଚ୍ଛେଦ କରିଛି। ଏହାକୁ ନେଇ ଜମ୍ମୁରେ ରାଜନୈତିକ ‌ବିବାଦ ଆରମ୍ଭ ହୋଇଯାଇଛି।

dagdadgdg

ଜମ୍ମୁ: ପ୍ରବାସୀ କଶ୍ମୀର ପଣ୍ଡିତଙ୍କ ଦ୍ବାରା ସ୍ଥାପିତ ହୋଇଥିବା ୧୨ରୁ ଅଧିକ ଦୋକାନକୁ ଜମ୍ମୁ ଉନ୍ନୟନ କର୍ତ୍ତୃପକ୍ଷ (ଜେଡିଏ) ଉଚ୍ଛେଦ କରିଛି। ଏହାକୁ ନେଇ ଜମ୍ମୁରେ ରାଜନୈତିକ ‌ବିବାଦ ଆରମ୍ଭ ହୋଇଯାଇଛି। ଇସଲାମୀୟ ଆତଙ୍କବାଦୀଙ୍କ ଉତ୍ପୀଡ଼ନର ଶିକାର ହୋଇ ଜମ୍ମୁ ଚାଲିଆସିଥିବା କଶ୍ମୀର ପଣ୍ଡିତଙ୍କୁ ପ୍ରାୟ ୩୦ବର୍ଷ ପୂର୍ବେ ବସତି ନିମନ୍ତେ ଜମି ଦିଆଯାଇଥିଲା। ଏହି ଜମିରେ କେତେକ ପଣ୍ଡିତ ନିଜର ଗୁଜରାଣ ମେଣ୍ଟାଇବାକୁ ଦୋକାନ କରିଥିଲେ। ତେବେ ଗୁରୁବାର ଜେଡିଏ ପକ୍ଷରୁ ସେମାନଙ୍କ ଦୋକାନ ଭଙ୍ଗାଯାଇଛି। ଏନେଇ କୌଣସି ପ୍ରାକ୍‌ ନୋଟିସ୍‌ ଦିଆଯାଇନାହିଁ ବୋଲି କଶ୍ମୀର ପଣ୍ଡିତମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଜେଡିଏର ଏଭଳି ପଦକ୍ଷେପକୁ ବିଭିନ୍ନ କଶ୍ମୀର ପଣ୍ଡିତ ସଂଗଠନ ସମେତ ବିଜେପି, ପିଡିପି ଓ ଅପନି ପାର୍ଟି ତୀବ୍ର ନିନ୍ଦା କରିଛି। ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ଭିଡ଼ିଓ ସେୟାର କରି ଉଲ୍ଲେଖ କରିଛନ୍ତି, ଯେଉଁ କଶ୍ମୀର ପଣ୍ଡିତମାନ ଦୀର୍ଘ ଦଶନ୍ଧୀ ଧରି ଉତ୍ପୀଡ଼ନର ଶିକାର ହୋଇ ଆସୁଛନ୍ତି ତାଙ୍କୁ ଆଉ ଏକ ଆଘାତ ଦିଆଯାଇଛି। ଆଦିବାସୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ ସଂପ୍ରତି କଶ୍ମୀର ପଣ୍ଡିତଙ୍କ ନିକଟରେ ପହଞ୍ଚିଛି ବୋଲି ମୁଫ୍‌ତି ଅଭିଯୋଗ କରିବା ସହ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ଜେଡିଏ ଅଧ୍ୟକ୍ଷ ପଙ୍କଜ ଶର୍ମା କହିଛନ୍ତି, କ୍ଷତିଗ୍ରସ୍ତ ପଣ୍ଡିତଙ୍କୁ ଚଳିତ ବର୍ଷ ଜାନୁଆରୀ ୨୦ରେ ନୋଟିସ୍‌ ଦିଆଯାଇଥିଲା।  ସେମାନେ ଫେବ୍ରୁଆରୀ ସୁଦ୍ଧା ଦୋକାନ ହଟାଇଦେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଚ୍ଛେଦ ହୋଇପାରିନଥିଲା। ଜେଡିଏ ଅଧ୍ୟକ୍ଷ କହିଛନ୍ତି, ମୁଥି ଅଞ୍ଚଳରେ ୨୫ କାନାଲ୍‌ (୩.୧୨୫ ଏକର) ଜମିରେ ଟେଣ୍ଟରେ ପ୍ରବାସୀ କଶ୍ମୀର ପଣ୍ଡିତଙ୍କୁ ଥଇଥାନ କରାଯାଇଥିଲା। ପରେ ପୁରଖୁ ଓ ଜଗତିରେ ଦୁଇ ପ୍ରକୋଷ୍ଠ ବିଶିଷ୍ଟ ଘର ନିର୍ମାଣ କରାଯାଇ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଅଧିକାଂଶ ସେଠାକୁ ଚାଲିଯାଇଥିଲେ ମଧ୍ୟ କେତେକ ମୁଥି ଅଞ୍ଚଳରେ ଦୋକାନ କରିଥିଲେ। ଏହି ମୁଥିରେ ୨୦୮ ଆର୍ଥିକ ଅନଗ୍ରସରଙ୍କ ନିମନ୍ତେ ଘର ନିର୍ମାଣ କରାଯିବ। ଏଥିପାଇଁ ଉଚ୍ଛେଦ କରାଯାଇଛି। ଅପରପକ୍ଷରେ ରିଲିଫ୍‌ କମିସନର ଅରବିନ୍ଦ କରୱାନି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। କ୍ଷତିଗ୍ରସ୍ତଙ୍କ ନିମନ୍ତେ ନୂତନ ଦୋକାନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe