ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ନୀତି ୨୦୨୨-୨୩କୁ ନେଇ ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନେକ ଅଧିକାରୀଙ୍କ ୩୧ଟି ଠିକଣାରେ ଚଢ଼ଉ କରବା ନେଇ ରାଜନୀତି ସରଗରମ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଯେଉଁଦିନ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ଆମେରିକାର ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଛି, ସେହଦିନ ହିଁ ସିସୋଦିଆଙ୍କୁ ଟାର୍ଗେଟ୍ କରି ଚଢ଼ଉ କରାଯାଉଛି। ସିବିଆଇ ଚଢ଼ଉ ଆରମ୍ଭ ହେବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦେଶବାସୀଙ୍କୁ ଏକ ଭିଡିଓ ଉଦ୍ବୋଧନ ଦେଇଛନ୍ତି। ଭାରତକୁ ନମ୍ବର ୱାନ୍ କରିବାପାଇଁ ଏବଂ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କରିବାପାଇଁ କେଜ୍ରିୱାଲ୍ ଆଜି ୧୩୦ କୋଟି ଭାରତୀୟଙ୍କୁ ଅନୁରୋଧ କରିଛନ୍ତି। ବିଜେପିର ନାମ ନନେଇ କେଜ୍ରିୱାଲ ବିଜେପି ବିରୋଧରେ ବର୍ଷିଛନ୍ତି।
କେଜ୍ରିୱାଲ କହିଛନ୍ତି, ସେମାନେ ଦେଶର ପ୍ରଗତି ହେବାକୁ ଦେବେନାହିଁ। ସେମାନେ (କେନ୍ଦ୍ର ସରକାର) ଆମକୁ ସମସ୍ୟାରେ ପକାଉଛନ୍ତି। ସେମାନେ ଆମ ବାଟ ଉଗାଳିବେ। ଆଜି ମନୀଷ ସିସୋଦିଆଙ୍କୁ ଟାର୍ଗେଟ୍ କରାଯାଉଛି। ଗତ ୭ ବର୍ଷରେ ମଧ୍ୟ ସିସୋଦିଆ, କୈଳାଶ ଗେହଲଟ ଏବଂ ମୋ ବିରୋଧରେ ଅନେକ ନକଲି ମାମଲା ରୁଜୁ ହୋଇଛି ଏବଂ ଅନେକ ଥର ଚଢ଼ଉ ହୋଇଛି । କିନ୍ତୁ ଏହାଦ୍ବାରା ଆମେ ଅଟକିଯିବୁନି। ଯଦି ଆମେ ସେମାନଙ୍କୁ ଦେଶ ଛାଡ଼ିଦେବୁ ତେବେ ସେମାନେ କେବେବି ଦେଶର ପ୍ରଗତି ହେବାକୁ ଦେବେ ନାହିଁ। ମୁଁ ଏକ ନମ୍ବର ଜାରି କରୁଛି । ଯିଏ ବି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଚାହୁଛନ୍ତି ସେମାନେ ଏହି ନମ୍ବର ‘୯୫୧୦୦୧୦୦’ରେ ମିସକଲ୍ ଦିଅନ୍ତୁ ଏବଂ ମିସକଲ୍ ଅଭିଯାନରେ ସାମିଲ ହୁଅନ୍ତୁ।
ଭିଡିଓ ଉଦ୍ବୋଧନ ସମୟରେ କେଜ୍ରିୱାଲ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା ନୀତିକୁ ନେଇ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ କହିଛନ୍ତି ଯେ ଏହା ପ୍ରତି ଭାରତୀୟଙ୍କୁ ଗର୍ବିତ କରିବ। ମୁଁ ସମସ୍ତଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇବାକୁ ଚାହେ। ଆାମେରିକାର ସବୁଠୁ ବଡ଼ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀର ଶିକ୍ଷା ନୀତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀ ସରକାରୀ ସ୍କୁଲ୍ରେ ଆସିଥିବା ବିପ୍ଳବ ସଂକ୍ରାନ୍ତରେ ଏହି ରିପୋର୍ଟରେ ଲେଖାଅଛି। ଏହି ରିପୋର୍ଟରେ ମନୀଷ ସିସୋଦିଆଙ୍କ ଫଟୋ ମଧ୍ୟ ଅଛି। ଯେଉଁ ଖବରକାଗଜରେ ସବୁ ବିଶ୍ବନେତା ସ୍ଥାନ ପାଇବାକୁ ଚାହାନ୍ତି ସେଠାରେ ସିସୋଦିଆ ସ୍ଥାନ ପାଇଛନ୍ତି। ସିସୋଦିଆ ଜଣେ ଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ ବୋଲି କେଜ୍ରିୱାଲ କହିଛନ୍ତି।
Follow Us