ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍’) ସପକ୍ଷରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ ତାଙ୍କୁ ଭଦୌରରୁ ଜଣେ ମୋବାଇଲ କାରିଗର ହରାଇଥିବା କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ସେହିପରି ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂ ସିଦ୍ଧୁଙ୍କୁ ‘ଆପ୍’ର ଜଣେ ସାଧାରଣ ସଦସ୍ୟ ପରାଜିତ କରିଛନ୍ତି ବୋଲି ଦୃଢ଼ୋକ୍ତି କରିଛନ୍ତି କେଜ୍ରିୱାଲ୍। ଏହି ଖବର ଲେଖାଯିବା ବେଳକୁ ସରକାର ଗଢ଼ିବାକୁ ମ୍ୟାଜିକ ନମ୍ବର ୫୯ ଥିବା ବେଲେ ‘ଆପ୍’ ୭୦ ଆସନରେ ବିଜୟୀ ହୋଇ ସାରିବା ସହ ୨୨ଟିରେ ଆଗୁଆ ରହିଛି।
ପଞ୍ଜାବରେ ଆପର ପ୍ରଦର୍ଶନ ପ୍ରଶଂସନୀୟ ହେବା ସହ ଧୁରୀ ନିର୍ବାଚନମଣ୍ଡଳୀରୁ ଭଗୱନ୍ତ ମାନ୍ ଜିତିବା ପରେ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଏକ ସଭାକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ମୋବାଇଲ୍ ମରାମତି କରୁଥିବା ଜଣେ ସାଧାରଣ ଲୋକ ଲବ ସିଂହ ଆଜି ଭଦୌରରୁ ଚନ୍ନିଙ୍କୁ ପରାସ୍ତ କରିଛନ୍ତି। ଏହା ସହ ଆପର ଜଣେ ସାଧାରଣ ସଦସ୍ୟ ଜୀବନ ଜ୍ୟୋତ୍ କୌର ସିଦ୍ଧୁ ଏବଂ ମାଜିଥିଆଙ୍କ ଭଳି ବଡ଼ ବଡ଼ ନେତାଙ୍କୁ ପରାସ୍ତ କରିଛନ୍ତି। ବିପ୍ଳବ ଆଣିବା ପାଇଁ ସାଧାରଣ ମଣିଷର ଅପାର ଶକ୍ତି ରହିଛି, ଯାହା ପଞ୍ଜାବରେ ସ୍ପଷ୍ଟ ଦେଖାଯାଇଛି। ଭଗତ ସିଂଙ୍କ ସ୍ୱପ୍ନର ନାମ ହେଉଛି ଆପ୍। ସେମାନେ ଆମକୁ ଦୁର୍ବ୍ୟବହାର କରିବେ, ହେଲେ ଆମକୁ ଧର୍ଯ୍ୟବାନ ହେବାକୁ ପଡ଼ିବ। ଗାଳିର ଜବାବରେ ଗାଳି ଦେବାର ଆବଶ୍ୟକତା ନାହିଁ। ଆମକୁ ସେବାର ରାଜନୀତି କରିବାର ଅଛି ବୋଲି ଆହ୍ବାନ ଦେଇଛନ୍ତି ଆପ୍ ମୁଖ୍ୟ କେଜ୍ରିୱାଲ୍।
indianexpressସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବଡ ବଡ଼ ଚେୟାରଗୁଡିକ ଦୋହଲି ଯାଇଛି। ସବୁ ବଡ଼ ବଡ଼ ନେତା ଆଜି ହାରିଛନ୍ତି। ଆମେ ସଚ୍ଚୋଟ ରାଜନୀତି ଆରମ୍ଭ କଲୁ ଏବଂ ପୁରା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲୁ। ସମସ୍ତ ଦଳ ଆମ ବିରୋଧରେ ଷଡଯନ୍ତ୍ର ରଚିଥିଲେ। ହେଲେ ସେଥିରେ ସଫଳ ନହେବା ପରେ, ସେମାନେ କେଜ୍ରିୱାଲଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ଆଜି ଦେଶର ଲୋକମାନେ ସେମାନଙ୍କୁ ଜଣାଇଦେଇଛନ୍ତି ଯେ କେଜ୍ରିୱାଲ ଆତଙ୍କବାଦୀ ନୁହଁନ୍ତି ବରଂ ଦେଶର ପ୍ରକୃତ ପୁଅ। ଆମେ ଏକ ଭାରତ ସୃଷ୍ଟି କରିବୁ ଯେଉଁଠାରେ ସମସ୍ତ ପିଲାଙ୍କୁ ଶିକ୍ଷା ମିଳିବ। ଏବେ ଆମ ପିଲାମାନଙ୍କୁ ଡାକ୍ତରୀ ଶିକ୍ଷା ପାଇଁ ୟୁକ୍ରେନ ଯିବାକୁ ପଡୁଛି, କିନ୍ତୁ ଆମେ ଏପରି ଏକ ଭାରତ ତିଆରି କରିବୁ ଯେଉଁଠାରେ ପିଲାମାନେ ଏଠାରେ ଡାକ୍ତରୀ ଶିକ୍ଷା ପାଇବେ। ଦିଲ୍ଲୀ-ପଞ୍ଜାବର ବିପ୍ଳବ ସାରା ଦେଶରେ ବ୍ୟାପିବ। ଏଥିପାଇଁ ସମସ୍ତ ମହିଳା, ଯୁବକ ଏବଂ କୃଷକ ଆମ୍ ଆଦମୀ ପାର୍ଟିରେ ଯୋଗଦେବା ଉଚିତ୍।
Follow Us