କେରଳରେ ପୁଣି ‘ନିପା ଭାଇରସ’ ଆତଙ୍କ: ସଂକ୍ରମିତ ୧୨ ବର୍ଷୀୟ ବାଳକର ମୃତ୍ୟୁ

Advertisment

କେନ୍ଦ୍ରୀୟ ଟିମ୍‌ ପହଞ୍ଚିଲେ, ଦୁଇ ସ୍ବାସ୍ଥ୍ୟ କର୍ମୀଙ୍କଠାରେ ଲକ୍ଷଣ

କେନ୍ଦ୍ରୀୟ ଟିମ୍‌ ପହଞ୍ଚିଲେ, ଦୁଇ ସ୍ବାସ୍ଥ୍ୟ କର୍ମୀଙ୍କଠାରେ ଲକ୍ଷଣ

କେରଳରେ ପୁଣି ‘ନିପା ଭାଇରସ’ ଆତଙ୍କ: ସଂକ୍ରମିତ ୧୨ ବର୍ଷୀୟ ବାଳକର ମୃତ୍ୟୁ

ତିରୁଅନନ୍ତପୁରମ: ଦେଶରେ ଏବେ ସର୍ବାଧିକ କରୋନା ସଂକ୍ରମଣଜନିତ ସଙ୍କଟର ମୁକାବିଲା କରୁଥିବା କେରଳ ଆଉ ଏକ ଘାତକ ଭୂତାଣୁ ’ନିପା’କୁ ନେଇ ସମସ୍ୟାରେ ପଡ଼ିଛି। କୋଝିକୋଡ୍‌ରେ ନିପା ଭୂତାଣୁ ଜଣେ ୧୨ ବର୍ଷୀୟ ବାଳକର ଜୀବନ ନେଇଛି। ଚୁଲ୍ଲାରର ଚଠାମଙ୍ଗଳମ ପଞ୍ଚାୟତର ଏହି ବାଳକ ଜଣକ କୋଝିକୋଡର ଏକ ଡାକ୍ତରଖାନାରେ ଗତ ୧ ତାରିଖରେ ଭର୍ତ୍ତି ହୋଇଥିଲା। ରବିବାର ସକାଳେ ତା’ର ମୃତ୍ୟୁ ହୋଇଛି। ନମୁନା ସଂଗ୍ରହ କରାଯାଇ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ପରୀକ୍ଷା ପରେ ବାଳକ ଠାରେ ନିପା ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା। ସଂପୃକ୍ତ ବାଳକ ସଂସ୍ପର୍ଶରେ ଆସିଥିବା ୧୭ଜଣ ବ୍ୟକ୍ତିଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।

କେନ୍ଦ୍ର ସରକାର ତୁରନ୍ତ କେରଳକୁ ନ୍ୟାସନାଲ ସେଣ୍ଟର ଫର୍‌ ଡି‌ଜିଜ୍‌ କଣ୍ଟ୍ରୋଲ (ଏନସିଡିସି)ର ଏକ ଟିମ୍‌ ପଠାଇଛନ୍ତି। ଉକ୍ତ ଟିମ୍ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବ। ରାଜ୍ୟ ସରକାର ମଧ୍ୟ ଶନିବାର ରାତିରେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସଂକ୍ରମିତ ବାଳକର ତିନି ପ୍ରକାର ନମୁନା ପ୍ଲାଜ୍‌ମା, ସିଏସ୍‌ଏଫ୍‌ ଏବଂ ସିରମ୍‌ ସଂଗ୍ରହ କରାଯାଇ ପୁନେ ପଠାଯାଇଥିଲା। ଚାରି ଦିନ ତଳେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାକୁ ପ୍ରବଳ ଜର ରହିଥିଲା। ପଡ଼ୋଶୀ ମାଲାପୁରମ୍ ଏବଂ କନ୍ନୁର ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ‌ବୋଲି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ମୃତ ବାଳକର ଘରଠାରୁ ୩ କିମି ପରିଧି ବିଶିଷ୍ଟ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ସତର୍କ କରାଇବା ସହିତ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। କେରଳରେ ନିପା ଭୂତାଣୁ ପୁଣି ଥରେ ଦେଖାଦେଇଥିବାରୁ କେନ୍ଦ୍ର ସରକାରଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଗତ ୧୨ ଦିନ ଭିତରେ ଆସିଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ସଂଗରୋଧ ଆଦିକୁ କଡ଼ାକଡ଼ି ପାଳନ ଉପରେ କେନ୍ଦ୍ର ଗୁରୁତ୍ବ ଦେଇଛି।

ଆଜି ରାଜ୍ୟରେ ଆଉ ଦୁଇଜଣଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦେଇଛି। ଦୁଇଜଣ ସ୍ବାସ୍ଥ୍ୟ କର୍ମୀଙ୍କ ଠାରେ ନିପା ଲକ୍ଷଣ ଦେଖିବାକୁ ମିଳିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ରବିବାର କହିଛନ୍ତି। ମୃତ ବାଳକଙ୍କ ସହିତ ଅଧିକ ମାତ୍ରାରେ ସଂସ୍ପର୍ଶରେ ଆସିଥିବା ୨୦ ଜଣଙ୍କ ମଧ୍ୟରେ ଏହି ଦୁଇଜଣ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ଅଧିକ ସଂସ୍ପର୍ଶରେ ଆସିଛନ୍ତି ବୋଲି ନିରୀକ୍ଷଣ ଦଳ ଜାଣିବାକୁ ପାଇଛି। ଉଭୟ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ନିପାର ଲକ୍ଷଣ ମଧ୍ୟ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe