କେରଳ ମସଜିଦ୍‌ ପରିସରରେ ହେଲା ହିନ୍ଦୁ ବିବାହ

Advertisment

ବିବାହର ସବୁ ଖର୍ଚ୍ଚ ବହନ କଲା ଜମାତ କମିଟି

ବିବାହର ସବୁ ଖର୍ଚ୍ଚ ବହନ କଲା ଜମାତ କମିଟି

କେରଳ ମସଜିଦ୍‌ ପରିସରରେ ହେଲା ହିନ୍ଦୁ ବିବାହ

The Times of India

ଆଲାପୁଝା: କେରଳର କୟାମକୁଲମ୍‌ ସ୍ଥିତ ‌ଚେରାବଲ୍ଲି ଜମାତ ମସଜିଦ୍‌ ପରିସରରେ ଏକ ହିନ୍ଦୁ ବିବାହ ସମ୍ପନ୍ନ ହୋଇଛି। ୧୦୦ରୁ ଊର୍ଦ୍ଧ୍ବ ବର୍ଷର ପୁରୁଣା ଏହି ଜମାତ ମସଜିଦ୍‌ରେ ଗତକାଲି ସାରଥ ଶଶି ଏବଂ ଅଂଜୁ ଅଶୋକ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣେ ହିନ୍ଦୁ ପୁରୋହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ନବ ବିବାହିତ ଦମ୍ପତି ପରେ ମସଜିଦ୍‌ ମଧ୍ୟକୁ ପ୍ରବେଶ କରି ମୁଖ୍ୟ ଇମାମ୍‌ ରିୟାସୁଦ୍ଦିନ ଫୈଜିଙ୍କ ଆଶୀର୍ବାଦ ନେଇଥିଲେ। ଅଂଜୁ ମଧ୍ୟ ପ୍ରଥମ ମହିଳା ଭାବେ ଏହି ଜମାତ ମସଜିଦ୍‌ରେ ପ୍ରବେଶ କରିଛନ୍ତି। ସବୁ ଧର୍ମର ଲୋକେ ଏହି ବିବାହ ଉତ୍ସବରେ ଯୋଗ ଦେଇଥିବାବେଳେ ଜମାତ କମିଟି ବିବାହର ସମସ୍ତ ଖର୍ଚ୍ଚ ବହନ କରିଛି। ପ୍ରାୟ ୪,୦୦୦ ଲୋକଙ୍କ ପାଇଁ ଭୋଜିର ବ୍ୟବସ୍ଥା ହୋଇଥିଲା। କମିଟି ମଧ୍ୟ ଝିଅକୁ ସୁନା ଏବଂ ୨ ଲକ୍ଷ ଟଙ୍କାର ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଉକ୍ତ ବିବାହ ଉତ୍ସବକୁ ସ୍ମରଣୀୟ ବୋଲି କହି‌ଛନ୍ତି। କେରଳରେ ଏକତାର ଏହା ଏକ ଜ୍ବଳନ୍ତ ଉଦାହରଣ ବୋଲି ବିଜୟନ କହିଛନ୍ତି। ଚେରାବଲ୍ଲି ମୁସଲିମ ଜମାତ କମିଟିର ସଚିବ ନୁଜୁମୁଦ୍ଦିନ ଅଲୁମ୍ମୁତିଲ କହିଛନ୍ତି, ସେ ଅଂଜୁଙ୍କ ବାପାଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି। ଅଂଜୁଙ୍କ ବାପା ଅଶୋକ କୁମାର ଜଣେ ବଣିଆ ଥିଲେ। ମାର୍ଚ୍ଚ, ୧୪, ୨୦୧୮ରେ ତାଙ୍କର ମୃତ୍ୟୁ ହୋଇଗଲା। ଏହାପରେ ତାଙ୍କ ପରିବାରରେ ଅତ୍ୟନ୍ତ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଉଭୟ ଅଂଜୁ ଏବଂ ତାଙ୍କର ଅନ୍ୟ ଜଣେ ଭଉଣୀ ଅମ୍ରିତା ଯୁକ୍ତ ୨ ପରେ ପାଠପଢ଼ା ବନ୍ଦ କରିଦେଲେ। ଅନ୍ୟପକ୍ଷେ ସେମାନଙ୍କ ଭାଇ ଆନନ୍ଦ ପାଠ ପଢ଼ୁଛି। ତେବେ ଅଶୋକ କୁମାରଙ୍କ ପତ୍ନୀ ବିନ୍ଦୁ ଗତବର୍ଷ ଅକ୍ଟୋବରରେ ଝିଅର ବିବାହ ପାଇଁ ନୁଜୁମୁଦ୍ଦିନ୍‌ଙ୍କ ସହଯୋଗ ଲୋଡ଼ିଥିଲେ। ଏ ସମ୍ପର୍କ‌ରେ ନୁଜୁମୁଦ୍ଦିନ୍‌ କମିଟିର ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରିବା‌ପରେ ସମସ୍ତେ ଅଂଜୁଙ୍କ ବିବାହ ପାଇଁ ଆଗେଇ ଆସିଥିଲେ। ପରେ ସେମାନେ ହିନ୍ଦୁ ନୀତି ନିୟମ ଅନୁଯାୟୀ ମସଜିଦ୍‌ ପରିସରରେ ଅଂଜୁଙ୍କ ବିବାହ କରିବାପାଇଁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe