ନୂଆଦିଲ୍ଲୀ: କେରଳରେ କାଲାମସେରିସ୍ଥିତ ଏକ କନ୍ଭେନସନ ସେଣ୍ଟରରେ ବିସ୍ଫୋରଣ ପରେ ଆଜି ଦେଶର ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିଭଳି ପାର୍ବଣ ଋତୁ, କ୍ରିକେଟ ମ୍ୟାଚ ଏବଂ କେରଳ ବିସ୍ଫୋରଣ ପରିପ୍ରେକ୍ଷୀରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି ବୋଲି ମୁମ୍ବାଇ ପୁଲିସ ସୂଚନା ଦେଇଛି। ହମାସ୍-ଇସ୍ରାଏଲ ଯୁଦ୍ଧ ପରିପ୍ରେକ୍ଷୀରେ ମୁମ୍ବାଇର ଇହୁଦୀ କେନ୍ଦ୍ର ଚାବାଦ ହାଉସରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଗୁଇନ୍ଦା ଏଜେନ୍ସିଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ରହିବା ସହିତ ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ସୂଚନା ସଂଗ୍ରହ କରୁଛି। ଗହଳି ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି।
ପ୍ରାର୍ଥନା ସଭା ଆରମ୍ଭ ହେବାର କିଛି ସମୟ ପରେ କୋଚିଠାରୁ ପ୍ରାୟ ୧୦ କିମି ଦୂର କଲାମସେରିର ଏକ କନଭେନସନ ସେଣ୍ଟରରେ ଏକାଧିକ ବିସ୍ଫୋରଣ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୫୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ପ୍ରଥମେ ପ୍ରଚଣ୍ଡ ବିସ୍ଫୋରଣ ପରେ ସେଠାରେ ନିଆଁ ଲାଗିଯାଇଥିଲା। ଲୋକମାନେ ସଭା ସ୍ଥାନରୁ ଦୌଡ଼ିବା ଆରମ୍ଭ କରିଥିଲେ। ସେହି ସମୟରେ ନିଆଁ ଯୋଗୁ ଉକ୍ତ ସ୍ଥାନରେ ପ୍ରବଳ ଧୂଆଁ ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ହଲ୍ର କେନ୍ଦ୍ରସ୍ଥଳରେ ବିସ୍ଫୋରଣ ହୋଇଥିଲା। ମୁଁ ତିନି ଥର ଶବ୍ଦ ଶୁଣିଥିଲି ଏବଂ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ବିସ୍ଫୋରଣ ବେଳେ ମୁଁ ହଲ୍ର ଆଗଧାଡ଼ିରେ ବସିଥିଲି। ହଲ୍ରେ ୬ଟି ପ୍ରବେଶ ଏବଂ ୬ଟି ପ୍ରସ୍ତାନ ଦ୍ବାର ରହିଛି। ବିସ୍ଫୋରଣ ପରେ ଆମେ ସମସ୍ତେ ନିରାପଦ ସ୍ଥାନକୁ ଦୌଡ଼ିଥିଲୁ। ବିସ୍ଫୋରଣରୁ ଉପୁଜିଥିବା ନିଆଁ ହଲ୍ର ଚାରିଆଡ଼କୁ ବ୍ୟାପି ନଥିଲାବାରୁ ଅନେକ ଜୀବନ ରକ୍ଷା ପାଇଯାଇଥିଲା।
Follow Us