ଖଡ଼ଗେ-ସୀତାରମଣ ମୁହାଁମୁହିଁ

Advertisment

ଭାଷଣରେ ସବୁ ରାଜ୍ୟର ନାଁ ନେବା ଅସମ୍ଭବ: ସୀତାରମଣ

ଭାଷଣରେ ସବୁ ରାଜ୍ୟର ନାଁ ନେବା ଅସମ୍ଭବ: ସୀତାରମଣ

ଖଡ଼ଗେ-ସୀତାରମଣ ମୁହାଁମୁହିଁ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌କୁ ନେଇ ଆଜି ସଂସଦରେ ଶାସକ ଏବଂ ବିରୋଧୀ ଦଳ ନେତା ମୁହାଁମୁହିଁ ହୋଇଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ବଜେଟ୍‌କୁ ବିରୋଧ କରିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ନେତୃତ୍ବାଧୀନ ସରକାର ୨୦୨୪-୨୫ ବର୍ଷ ପାଇଁ ଆଣିଥିବା କେନ୍ଦ୍ର ବଜେଟ୍‌ରେ କେବଳ ୨ଟି ରାଜ୍ୟ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଗୁରୁତ୍ବ ଦେଇଛନ୍ତି। ଅନ୍ୟପକ୍ଷେ ଅନ୍ୟ ରାଜ୍ୟଗୁଡ଼ିକୁ ଅଣଦେଖା କରାଯାଇଛି। ଖଡ଼ଗେ କେନ୍ଦ୍ର ବଜେଟ୍‌କୁ ‘କୁର୍ସି ବଚାଓ’ ବଜେଟ୍‌ ବୋଲି କହିଛନ୍ତି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ମଧ୍ୟ ବଜେଟ୍‌କୁ କଡ଼ା ନିନ୍ଦା କରି ଏହା ପକ୍ଷପାତପୂର୍ଣ୍ଣ ବଜେଟ୍‌ ବୋଲି କହିଛନ୍ତି। ଖଡ଼ଗେ କହିଛନ୍ତି, କେନ୍ଦ୍ର ବଜେଟ୍‌ କେବଳ ଏନଡିଏ ସହଯୋଗୀଙ୍କୁ ଖୁସି କରିବାପାଇଁ ହୋଇଛି। ମୋଦୀ ସରକାରଙ୍କ ବଜେଟ୍‌ରୁ କୌଣସି ରାଜ୍ୟ କିଛି ପାଇନାହାନ୍ତି। ଯେଉଁ ରାଜ୍ୟ‌ରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେଠାରେ ଲୋକମାନେ ବଜେଟ୍‌ରୁ କିଛି ପାଇନାହାନ୍ତି। କେବଳ ୨ଟି ରାଜ୍ୟର ଥାଳିରେ ପକୋଡ଼ା ଏବଂ ଜଲେବି ଅଛି। ଏହି ବଜେଟ୍‌ କେବଳ ଜଣେ ବ୍ୟକ୍ତିଙ୍କ ଆସନ ବଞ୍ଚାଇବାପାଇଁ ଆସିଛି ବୋଲି ଖଡ଼ଗେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ସମୟରେ ନିର୍ମଳା ସୀତାରମଣଙ୍କୁ କିଛି କହିବାକୁ ସୁଯୋଗ ଦେବାପାଇଁ ଖଡ଼ଗେଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଖଡ଼ଗେ ଏହାର ଉତ୍ତରରେ କହିଥିଲେ, ମତେ ପ୍ରଥମେ କହିବାକୁ ଦିଅନ୍ତୁ, ମାତାଜୀ(ନିର୍ମଳା) କହିବାରେ ବହୁତ ପାରଙ୍ଗମ ବୋଲି ମତେ ଜଣା ଅଛି। ଖଡ଼ଗେଙ୍କ ଏଭଳି ମନ୍ତବ୍ୟରେ ହସ୍ତକ୍ଷେପ କରି ଅଧ୍ୟକ୍ଷ କହିଥିଲେ, ‘ନା ସେ ମାତାଜୀ ନୁହଁନ୍ତି, ସେ ଆପଣଙ୍କ ଝିଅଭଳି ।’ ଏହାପରେ ଅର୍ଥମନ୍ତ୍ରୀଙ୍କୁ ଯେତେବେଳେ କହିବାର ସୁଯୋଗ ମିଳିଲା ସେ ସମୟରେ ଖଡ଼ଗେଙ୍କ ନେତୃତ୍ବରେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ।

‘ମାତାଜୀ’ କହିବା‌ରେ ପାରଙ୍ଗମ: ଖଡ଼ଗେ
ଭାଷଣରେ ସବୁ ରାଜ୍ୟର ନାଁ ନେବା ଅସମ୍ଭବ: ସୀତାରମଣ

ଖଡ଼‌‌ଗେଙ୍କ କଥାର ଜବାବ ଦେଇ ସୀତାରମଣ କହିଛନ୍ତି, ଅଭିଯୋଗ ଭିତ୍ତିହୀନ ଏବଂ ସମସ୍ତ ରାଜ୍ୟକୁ ସଠିକ ଗୁରୁତ୍ବ ଦିଆଯାଇଛି। ଭାଷଣରେ ଆମେ ସବୁ ରାଜ୍ୟର ନାଁ ନେବାପାଇଁ ସୁଯୋଗ ପାଇନାହୁଁ। କଂଗ୍ରେସ ବି କ୍ଷମତାରେ ଥିଲା ଏବଂ ସେମାନେ ଏହା ଜାଣିବା ଉଚିତ। ଉଦାହରଣ ସ୍ବରୂପ ବଜେଟ୍‌ ଭାଷଣରେ ମହାରାଷ୍ଟ୍ରର ନାଁ ନିଆଯାଇନି। ଯଦି ମହାରାଷ୍ଟ୍ରକୁ ଗୁରୁତ୍ବ ଦିଆଯାଇନଥାନ୍ତା ତେବେ ରାଜ୍ୟ ପାଇଁ ୭୫ ହଜାର କୋଟି ଟଙ୍କା ମଂଜୁର ହୋଇନଥାନ୍ତା। ସୀତାରମଣ କହିଛନ୍ତି, ସେ ଅନେକ ରାଜ୍ୟର ନାଁ ଉପସ୍ଥାପନ କରିବେ ଯେଉଁ ରାଜ୍ୟ ଗୁଡ଼ିକୁ ପାଣ୍ଠି ଆବଣ୍ଟନ କରାଯାଇଛି କିନ୍ତୁ ଭାଷଣରେ ରାଜ୍ୟଗୁଡ଼ିକର ନାଁ ନିଆଯାଇନି। ବି‌ରୋଧୀଙ୍କ ଅଭିଯୋଗକୁ ସୀତାରମଣ ଭିତ୍ତିହୀନ କହିବା ସହ ଟିଏମ୍‌ସିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଯୋଜନା ଏବେ ବି କାର୍ଯ୍ୟକାରୀ ‌ହୋଇନାହିଁ ଏବଂ ଏ ବାବଦରେ ରାଜ୍ୟର ଆଭିମୁଖ୍ୟ ସ୍ପଷ୍ଟ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe