ପାରା ମିଲିଟାରୀ ଫୋର୍ସର ୧୦୭ କ୍ୟାଣ୍ଟିନରେ ଖଦୀ ବିକ୍ରି ଆରମ୍ଭ

ପାରା ମିଲିଟାରୀ ଫୋର୍ସର ୧୦୭ କ୍ୟାଣ୍ଟିନରେ ଖଦୀ ବିକ୍ରି ଆରମ୍ଭ

Indian Defence Update

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ “ସ୍ୱଦେଶୀ” ଅଭିଯାନକୁ ଦେଶରେ ବ୍ୟାପକ କରିବାକୁ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ୧୦୭ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍‌) କ୍ୟାଂଟିନ୍ ଗୁଡିକରେ ଏହାର ବିକ୍ରି ଆରମ୍ଭ କରି କହିଛନ୍ତି ଯେ, ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଶୀଘ୍ର ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିବେ ।

“ଗାନ୍ଧୀଜୀଙ୍କ ନିମନ୍ତେ ଖଦି ସ୍ୱଦେଶୀର ପ୍ରତୀକ ଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଏହା ଏକ ସାଧନ ବୋଲି ଆସାମର ତାମୁଲପୁରରେ ବିଏସ୍‌ଏଫ୍‌ର କେନ୍ଦ୍ରୀୟ କାର୍ଯ୍ୟଶାଳା ଏବଂ ଷ୍ଟୋର୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ଗୃହ ମନ୍ତ୍ରୀ କହିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା, ଗୃହ ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା ଏବଂ ବିଏସ୍‌ଏଫ୍ ଏବଂ ସିଆରପିଏଫ୍‌‌ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀ ଶାହ ଦେଶରେ ସ୍ଥାୟୀ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ନିମନ୍ତେ କେଭିଆଇସିର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମହୁ ମିଶନ, କୁମ୍ଭାର ସଶକ୍ତିକରଣ ଯୋଜନା, ଚମଡା ଏବଂ ବଢ଼େଇ ସଶକ୍ତିକରଣ ଯୋଜନା ଗୁଡିକର ଆସାମର ବୋଡୋଲ୍ୟାଣ୍ଡରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିଛି । ଏହା ନିଶ୍ଚିତ ରୂପରେ ବୋଡୋଲ୍ୟାଣ୍ଡରେ ବେରୋଜଗାରୀ ସମସ୍ୟାକୁ ଶେଷ କରି ଦେବ ଏବଂ ଅସ୍ତଶସ୍ତ୍ର ତ୍ୟାଗ କରି ଦେଇଥିବା ବୋଡୋ ଯୁବକ ମାନଙ୍କୁ ରାଷ୍ଟ୍ରର ବିକାଶ ସହିତ ପୁଣି ଥରେ ଯୋଡି ଦେବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, କେଭିଆଇସି ୨୦୨୧- ୨୨ରେ ୧.୧୫ ଲକ୍ଷ କୋଟି ଟଙ୍କା ପରିମାଣର ଐତିହାସିକ ବ୍ୟବସାୟ କରିଛି, ଯେଉଁଥିରେ ପ୍ରାୟ ୨୫୦ ପ୍ରତିଶତର ଅତ୍ୟଧିକ ଅଭିବୃଦ୍ଧି ହୋଇଛି ।

ଏହା ପୂର୍ବରୁ, ସ୍ୱଦେଶୀ  ଧାରାକୁ ଆଗକୁ ବଢ଼େଇବା ନିମନ୍ତେ, ଗୃହ ମନ୍ତ୍ରୀ ସମସ୍ତ ସିଏପିଏଫ୍ କ୍ୟାଂଟିନ୍ ଗୁଡିକ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ମାଧ୍ୟମରେ ଅଧିକରୁ ଅଧିକ “ସ୍ୱଦେଶୀ” ଉତ୍ପାଦ ବିକ୍ରି କରିବା ବାଧ୍ୟତାମୂଳକ କରି ଦେଇଥିଲେ । ଆରମ୍ଭରେ ଜାତୀୟ ପତାକା, ସୂତା ତିଆରି ତଉଳିଆ, ମହୁ, କଚିଘନି ସୋରିଷ ତେଲ, ଧୂପକାଠି, ଦଲିଆ, ପାପଡ, ଆଚାର, ଅଁଳା ଉତ୍ପାଦ ଇତ୍ୟାଦି ସହିତ ୩୨ ପ୍ରକାରର ଉତ୍ପାଦର ଯୋଗାଣ ଦିଲ୍ଲୀ ଏନ୍‌ସିଆର୍‌, ପଞ୍ଜାବ, ହରିୟାନା, ଗୁଜରାଟ, ଉତର ପ୍ରଦେଶ, ଆସାମ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ରହିଥିବା କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ । ଏବେ ପର୍ଯ୍ୟନ୍ତ କେଭିଆଇସି ବିଭିନ୍ନ ପାରା ମିଲିଟାରୀ ବଳକୁ ପ୍ରାୟ ୧୭ କୋଟି ଟଙ୍କାର ଉତ୍ପାଦ ସଫଳତାର ସହିତ ଯୋଗାଣ କରିଛି । ଯୋଗାଣରେ ୫.୫୦ କୋଟି ଟଙ୍କାର ୩ ଲକ୍ଷ କିଲୋଗ୍ରାମ୍ (୩୦୦୦ ମେଟ୍ରିକ୍ ଟନ୍‌) କଚି ଘନି ସୋରିଷ ତେଲ, ୧୧ କୋଟି ଟଙ୍କା ମୂଲ୍ୟର ୨.୧୦ ଲକ୍ଷ କପାର ଦରି, ୪୦ ଲକ୍ଷ ଟଙ୍କା ମୂଲ୍ୟର ଉଲ୍ ତିଆରି କମ୍ବଳ ସାମିଲ୍ ଅଟେ ।

ବିଶେଷ ରୂପରେ, ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ଖଦି ଉତ୍ପାଦକୁ ବିକ୍ରି କରିବା ନିମନ୍ତେ ଏକ ବଡ ପ୍ଲାଟଫର୍ମ (ମଂଚ) ପ୍ରଦାନ କରିବେ ଏବଂ ଏହାର ସିଧାସଳଖ ପ୍ରଭାବ କେଭିଆଇସିର ଉତ୍ପାଦନ ଏବଂ ବିକ୍ରି ଉପରେ ପଡିବ । ପାରା ମିଲିଟାରୀ ବଳକୁ ଖଦି ଉତ୍ପାଦ ଗୁଡିକର ଏକ ବିସ୍ତୃତ ଶୃଙ୍ଖଳାର ଯୋଗାଣ କରିବା ନିମନ୍ତେ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି, ଯେଉଁଥିରେ ଖଦି କପଡା ଏବଂ ରେଡିମେଡ୍ ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖାଇବା ଯୋଗ୍ୟ ଏବଂ ହର୍ବାଲ୍ ଉତ୍ପାଦ ସାମିଲ୍ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe