ଅଟୱା: କାନାଡାର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଉଜୱଲ ଦେବ ଦୋସାଞ୍ଜ କାନାଡାର ବ୍ରମ୍ପଟନ୍ରେ ଥିବା ମନ୍ଦିରରେ ଘଟିଥିବ ହିଂସା ମାମଲାରେ ଏକ ବଡ଼ ଦାବି କରିଛନ୍ତି। ଶିଖ ରାଜନେତା ଦୋସଞ୍ଜ କହିଛନ୍ତି , କାନାଡାର ଖଲିସ୍ତାନୀମାନେ ହିନ୍ଦୁ ଏବଂ ଶିଖଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତାଙ୍କର ଏହି ପ୍ରୟାସ କେବଳ କାନାଡା ନୁହେଁ ଭାରତ ପାଇଁ ମଧ୍ୟ ଜାରି ରହିଛି। ଖଲିସ୍ତାନୀ ଚାହୁଁଛନ୍ତି ଯେ ହିନ୍ଦୁ-ଶିଖମାନଙ୍କ ମଧ୍ୟରେ ଏହି ବିଭାଜନ ଭାରତରେ ବିସ୍ତାର ହେଉ। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ୭୭ ବର୍ଷୀୟ କାନାଡିଆନ ରାଜନେତା ଦୋସଞ୍ଜ ଏହି ଦାବି କରିଛନ୍ତି।
ପଞ୍ଜାବର ଜଳନ୍ଧରରେ ଜନ୍ମିତ ତଥା ଦୀର୍ଘ ଦିନ ଧରି କାନାଡାରେ ସକ୍ରିୟ ଥିବା ଉଜୱଲ ଦେବ ଦୋସଞ୍ଜ ବ୍ରମ୍ପଟନ୍ ମନ୍ଦିର ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଖାଲିସ୍ତାନୀ ହିଂସା ଦୀର୍ଘ ଦିନ ଧରି କାନାଡାରେ ଏକ ସମସ୍ୟା ହୋଇ ରହିଛି। ଏହା କିଛି ସମୟ ପାଇଁ ଶାନ୍ତ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନର ସରକାରଙ୍କ ଅଧୀନରେ ଏହା ପୁଣି ଭୟଙ୍କର ରୂପ ନେଇଛି। ସରକାର ଏବଂ ଆଇନ ଶୃଙ୍ଖଳା ସଂସ୍ଥା ଖଲିସ୍ତାନୀଙ୍କ ହିଂସା ପ୍ରତି କମ୍ ଧ୍ୟାନ ଦେଉଥିବାରୁ ଏବଂ ଆଜି ଏହି ହିଂସା ହିନ୍ଦୁ ମନ୍ଦିରରେ ପହଞ୍ଚିଥିବା ସେ ଅଭିଯୋଗ କରିଛନ୍ତି। ଏହା ସ୍ପଷ୍ଟ ଖଲିସ୍ତାନୀଙ୍କ ଉଦ୍ଦେଶ୍ୟ ହେଉଛି ଶିଖ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିଭାଜନ କରିବା। କାରଣ ସେମାନଙ୍କର ମୂଳ ଲକ୍ଷ୍ୟ ହେଉଛି ଭାରତକୁ ବିଭାଜନ କରିବା।
ଦୋସଞ୍ଜ କହିଛନ୍ତି, ଏହି ପ୍ରସଙ୍ଗରେ କାନାଡାର ରାଜନୈତିକ ବର୍ଗ ଶୋଇ ରହିଛି। ବର୍ତ୍ତମାନର ହିଂସାକୁ ବଡ଼ ନେତା ନିନ୍ଦା କରିଥିବାବେଳେ ଖଲିସ୍ତାନୀଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଜଷ୍ଟିନ ଟ୍ରୁଡୋଙ୍କୁ ସିଧାସଳଖ ଲକ୍ଷ୍ୟ କରି ସେ କହିଛନ୍ତି ଯେ କ’ଣ ଘଟୁଛି ସେ ଜାଣନ୍ତି, ଖଲିସ୍ତାନୀ ତାଙ୍କ କ୍ୟାବିନେଟରେ ଥିଲେ, ଏହି ଲୋକମାନେ କ’ଣ କରୁଛନ୍ତି ତାହା ସେ ଭଲ ଭାବରେ ଜାଣିଛନ୍ତି।
ଦୋସଞ୍ଜ କହିଛନ୍ତି, କେବଳ ସରକାର ନୁହେଁ କାନାଡାର ବିରୋଧୀ କଞ୍ଜରଭେଟିବ ପାର୍ଟି ମଧ୍ୟ ଏହା କରୁଛନ୍ତି। କାନାଡାରେ କୌଣସି ମୁଖ୍ୟ ସ୍ରୋତର ରାଜନୈତିକ ବ୍ୟକ୍ତି ନାହାନ୍ତି ଯିଏ ଠିଆ ହୋଇ କହିପାରିବେ ଯେ ଏହି ଦେଶରେ ଖଲିସ୍ତାନୀ ଘୃଣା ଚାଲିବ ନାହିଁ। ଭୋଟ୍ ରାଜନୀତି ଯୋଗୁ ବୋଧହୁଏ ରାଜନେତାମାନେ ଏହା କରୁଛନ୍ତି। ସେ କହିଛନ୍ତି ବଢୁଥିବା ଖଲିସ୍ତାନୀ ହିଂସା ଉଦାରବାଦୀ ଶିଖ ସମ୍ପ୍ରଦାୟରେ ମଧ୍ୟ ଭୟ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ: କାନାଡାକୁ ଆଇନା ଦେଖାଇଲା ଭାରତ: ଦେଲା କଡ଼ା ଜବାବ
ଲିବରାଲ୍ ପାର୍ଟିର ସାଂସଦ ତଥା କାନାଡାର ସ୍ୱାସ୍ଥ୍ୟମନ୍ତ୍ରୀ ଦୋସଞ୍ଜ କହିଛନ୍ତି , ଉଭୟ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକମାନେ କନସୁଲାର କ୍ୟାମ୍ପକୁ ଯାଇଥିଲେ ଯାହାକୁ ଊଗ୍ରବାଦୀମାନେ ଟାର୍ଗେଟ କରିଥିଲେ। ଏହି କନସୁଲ୍ ଅଧିକାରୀମାନେ କେବଳ ହିନ୍ଦୁମାନଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ନ ଥିଲେ, ସେମାନେ ସମସ୍ତ ଭାରତୀୟଙ୍କୁ ସାହାଯ୍ୟ କରୁଥିଲେ। ଏଭଳି ପରିସ୍ଥିତିରେ ଏହି ହିଂସା କୌଣସି ପ୍ରକାରେ ଯଥାର୍ଥ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ସରକାର ସବୁ ଘରୋଇ ସମ୍ପତ୍ତି ଅଧିଗ୍ରହଣ କରିପାରିବେ ନାହିଁ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ