ଇନ୍ଦିରାଙ୍କ ହତ୍ୟାକୁ ନେଇ ଖଲିସ୍ତାନୀ ସମର୍ଥକଙ୍କ ଉତ୍ସବ: କାନାଡ଼ା ବିରୋଧରେ ଗର୍ଜିଲେ ଜୟଶଙ୍କର

Advertisment
ଇନ୍ଦିରାଙ୍କ ହତ୍ୟାକୁ ନେଇ ଖଲିସ୍ତାନୀ ସମର୍ଥକଙ୍କ ଉତ୍ସବ: କାନାଡ଼ା ବିରୋଧରେ ଗର୍ଜିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକୁ ନେଇ କାନାଡ଼ାର ଭ୍ରାମ୍ପଟନଠାରେ ଖଲିସ୍ତାନୀ-ସପକ୍ଷବାଦୀଙ୍କ ଦ୍ବାରା ଉତ୍ସବ ମନାଯିବା ଏବଂ ପରେଡ୍ ଫ୍ଲୋଟର ଭିଡ଼ିଓ ପ୍ରକାଶ ପାଇବା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ-ବିରୋଧୀ ଉଗ୍ରବାଦୀଙ୍କ ଏପରି କାର୍ଯ୍ୟକଳାପକୁ ସହ୍ୟ କରୁଥିବା କାନାଡ଼ା ସରକାରଙ୍କ ଉପରେ ବର୍ଷିଛନ୍ତି ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର। ଜୟଶଙ୍କର କହିଛନ୍ତି, ବିଚ୍ଛିନ୍ନତାବାଦୀ ଓ ଚରମପନ୍ଥୀଙ୍କୁ କାନାଡ଼ା ପ୍ରଶ୍ରୟ ଦେବା ଭୋଟବ୍ୟାଙ୍କ ରାଜନୀତି ଛଡ଼ା ଆଉ କ’ଣ ହୋଇପାରେ ? ସୂଚନାଯୋଗ୍ୟ, କାନାଡ଼ାର ଭ୍ରାମ୍ପଟନଠାରେ ଏକ ୫୪ କିମି ଦୀର୍ଘ ପରେଡ୍‌ରେ ଖଲିସ୍ତାନୀ-ସପକ୍ଷବାଦୀମାନେ ଏକ ଫ୍ଲୋଟ୍‌ର ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଇନ୍ଦିରା ଗାନ୍ଧିଙ୍କୁ ଦୁଇଜଣ ଦେହରକ୍ଷୀ ଗୁଳି କରି ହତ୍ୟା କରୁଥିବାର ଦେଖିବାକୁ ମିଳୁଛି। ଅପରେସନ ବ୍ଲୁ ଷ୍ଟାର୍‌ର ୩୯ତମ ଦିବସର ଦୁଇଦିନ ପୂର୍ବରୁ ଜୁନ୍ ୪ ତାରିଖରେ ଏହି ଭିଡ଼ିଓ ରେକର୍ଡିଂ କରାଯାଇଥିବା ଜଣାପଡ଼ିଛି। ବୁଧବାରର ଏହି ଘଟଣା ପରେ କାନାଡ଼ା ସରକାରଙ୍କ ଉପରେ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଭାରତର ଅଟାୱାସ୍ଥିତ ଦୂତାବାସ ପକ୍ଷରୁ ଗ୍ଲୋବାଲ ଆଫେୟାର୍ସ କାନାଡ଼ା (ଜିଏସି)କୁ ଏକ ଆନୁଷ୍ଠାନିକ ଚିଠି ଲେଖି ଏପରି ଘଟଣା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି କୁହାଯାଇଛି।

‘ରାହୁଲ ଗାନ୍ଧିଙ୍କ କାର୍ଯ୍ୟ ଜାତୀୟ ସ୍ବାର୍ଥ ବିରୋଧୀ’
ନିକଟରେ ରାହୁଲ ଗାନ୍ଧି ଆମେରିକାରେ ଭାରତୀୟ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାକୁ ନେଇ ଦେଇଥିବା ଟିପ୍ପଣୀ ପାଇଁ ମଧ୍ୟ ଜୟଶଙ୍କର ଆଜି ତାଙ୍କୁ ସମାଲୋଚନା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, ଜାତୀୟ ରାଜନୀତିକୁ ଦେଶ ବାହାରକୁ ନେବା ଜାତୀୟ ସ୍ବାର୍ଥ ଦୃଷ୍ଟିରେ ନୁହେଁ। ରାହୁଲ ଗାନ୍ଧି ଅଭ୍ୟାସଗତ ଭାବେ ବିଦେଶରେ ଆମ ଦେଶକୁ ସମାଲୋଚନା କରୁଛନ୍ତି ଏବଂ ତାଙ୍କ କାର୍ଯ୍ୟ ଜାତୀୟ ସ୍ବାର୍ଥ ବିରୋଧୀ । ସାରା ବିଶ୍ବ ଆମକୁ ଦେଖୁଛି ଏବଂ ଆମ ଗଣତନ୍ତ୍ର କେତେ ଦୃଢ଼ ତାହା ସମସ୍ତେ ଜାଣନ୍ତି ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe