Image Courtesy of The Tribune
ଚଣ୍ଡିଗଡ଼: ବିଭିନ୍ନ ଆତଙ୍କବାଦ ଘଟଣାରେ ଜଡ଼ିତ ଥିବା କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ହର୍ୱିନ୍ଦର୍ ସିଂହ ରିନ୍ଦା ପାକିସ୍ତାନରେ ମୃତ୍ୟୁ ବରଣ କରିଥିବା କଥା ଶନିବାର ଦିନ ପୁଲିସ କହିଛି।
ତାଙ୍କ ମୃତ୍ୟୁର କାରଣ ତୁରନ୍ତ ଜଣାପଡ଼ିନାହିଁ। ମାତ୍ରାଧିକ ଡ୍ରଗ୍ ସେବନ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିବା ରିନ୍ଦା ଲାହୋର୍ସ୍ଥିତ ସେନା ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା କଥା କୁହାଯାଉଛି। ତେଣେ, ସାମାଜିକ ଗଣମାଧ୍ୟମରେ ଗ୍ୟାଙ୍ଗ୍ଷ୍ଟର୍ ଗ୍ରୁପ୍ ଦାବିନ୍ଦର୍ ଭାମ୍ବିହା ଦାବି କରିଛି ଯେ, ସେମାନେ ରିନ୍ଦାଙ୍କୁ ପାକିସ୍ତାନରେ ଗୁଳି ମାରି ହତ୍ୟା କରିଛନ୍ତି।
Image Courtesy of ABPଭାରତର ‘ମୋଷ୍ଟ୍ ୱାଣ୍ଟେଡ୍’ ଆତଙ୍କବାଦୀ ରିନ୍ଦା ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ଗତ ମେ ମାସରେ ପଞ୍ଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟ ଉପରେ ସଙ୍ଗଠିତ ‘ରକେଟ୍ ପ୍ରପେଲ୍ଡ୍ ଗ୍ରେନେଡ୍’ ଆକ୍ରମଣ ଘଟଣାର ସେ ଥିଲେ ‘ମାଷ୍ଟର୍ମାଇଣ୍ଡ୍’। ଲୁଧିଆନା ଅଦାଲତ ବିସ୍ଫୋରଣ ଘଟଣାରେ ବି ତାଙ୍କର ସମ୍ପୃକ୍ତି ଥିଲା। ପଞ୍ଜାବୀ ଗାୟକ ସିଧୁ ମୁସେ ୱାଲା ହତ୍ୟାକାଣ୍ଡ ବେଳେ ବି ତାଙ୍କ ନାଁ ଉଠିଥିଲା। ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ରିନ୍ଦା ଥିଲେ ନିଷିଦ୍ଧ ଖଲିସ୍ତାନୀ ସଂଗଠନ ‘ବାବର୍ ଖଲ୍ସା ଇଣ୍ଟର୍ନ୍ୟାସ୍ନାଲ୍’ର ଅନ୍ୟତମ ସଦସ୍ୟ।
‘ଏ ପ୍ଲସ୍’ ଗ୍ୟାଙ୍ଗ୍ଷ୍ଟର୍, ଡ୍ରଗ୍ ସ୍ମଗ୍ଲର୍ ଏବଂ ଆର୍ମସ୍ ସପ୍ଲାୟର୍ ଭାବେ ତାଲିକାଭୁକ୍ତ ରିନ୍ଦା ଗତ ଅଳ୍ପ କେତେ ବର୍ଷ ହେବ ପାକିସ୍ତାନରେ ଥାଇ ଅପରାଧିକ କାର୍ଯ୍ୟ ଚଳାଉଥିଲା। ‘ଦି ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ରିନ୍ଦାଙ୍କ ଉପରେ ୧୦ ଲକ୍ଷ ନଗଦ ଟଙ୍କା ପୁରସ୍କାର ଘୋଷଣା କରିଥିଲା।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ରାଜ୍ୟ ପୁଲିସ କହୁଛି କି, କିଡ୍ନି ଅକାମିକା ହୋଇଯିବାରୁ ୧୮ ଦିନ ତଳେ ହର୍ୱିନ୍ଦର୍ ସିଂହ ରିନ୍ଦା ଲାହୋର୍ର ଗୋଟାଏ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
Follow Us