ନୂଆଦିଲ୍ଲୀ/ଟରୋଣ୍ଟୋ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯିବା ପଛରେ ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତ ରହିଛି ବୋଲି କାନାଡା ଅଭିଯୋଗ କରିଛି। ଅନ୍ୟପକ୍ଷରେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ଭାରତ ପାଲଟା ଜବାବ ଦେଇଛି। ବିଦେଶୀ ଖବରକାଗଜ ରଏଟର ଓ ୱାସିଂଟନ ପୋଷ୍ଟରେ କାନାଡା ବିଦେଶ ବ୍ୟାପାର ଉପମନ୍ତ୍ରୀ ଡେଭିଡ୍ ମୋରିସନ୍ ମଙ୍ଗଳବାର ସଂସଦୀୟ କମିଟି ଆଗରେ ରଖିଥିବା ବୟାନକୁ ଉଲ୍ଲେଖ କରିଛନ୍ତି। ଖବର ଅନୁସାରେ ଉପମନ୍ତ୍ରୀ ମୋରିସନ୍ ସଂସଦୀୟ କମିଟିକୁ କହିଥିଲେ ଯେ ତାଙ୍କୁ ଜଣେ ଆମେରିକୀୟ ସାମ୍ବାଦିକ ଫୋନ୍ କରି ଅମିତ ଶାହଙ୍କ ସମ୍ପୃକ୍ତି କଥା ପଚାରିଥିଲେ ଓ ସେ ଶାହ ସମ୍ପୃକ୍ତ ଅଛନ୍ତି ବୋଲି କହିଥିଲେ। ତେବେ ଏନେଇ ସେ କୌଣସି ପ୍ରମାଣ ଦେଇନାହାନ୍ତି। ବିଦେଶୀ ଗଣମାଧ୍ୟମକୁ କାନାଡା ଅଧିକାରୀଙ୍କ ବୟାନ ନେଇ ଭାରତର ଗୃହମନ୍ତ୍ରଣାଳୟ କିମ୍ବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ତେବେ ବୈଦେଶିକ ମନ୍ତ୍ରଣାଳୟରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଲୋଡ଼ିଥିବା ଜଣାଯାଇଛି। ଅପରପକ୍ଷରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ପ୍ରମାଣବିହୀନ ଅଟେ।
ଭାରତୀୟ କୂଟନୀତିଜ୍ଞଙ୍କୁ ହଟାଯିବା ଅଭିଯୋଗକୁ ଆମେରିକାର ଖଣ୍ଡନ
ୱାସିଂଟନ/ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ଦେଶରୁ ବିତାଡ଼ିତ କରିଛନ୍ତି। ଏହି ଘଟଣା ପରେ ଆମେରିକା ମଧ୍ୟ ଅନୁରୂପ ପଦକ୍ଷେପ ନେଇ ଭାରତର କୂଟନୀତିଜ୍ଞଙ୍କୁ ବିତାଡ଼ିତ କରିବାକୁ ବିଚାର କରୁଥିବା ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ଆମେରିକା ଆଜି ଖଣ୍ଡନ କରିଛି ଏବଂ ଭାରତ-ଆମେରିକା ସଂପର୍କ ଅତ୍ୟନ୍ତ ସୁଦୃଢ଼ ବୋଲି କହିଛି। ଆମେରିକାର ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ କୂଟନୀତିଜ୍ଞଙ୍କ ବିତାଡ଼ନ ଉପରେ ବିଚାର ଖବର ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଭାରତୀୟ କୂଟନୀତିଜ୍ଞଙ୍କୁ ହଟାଯିବା ଖବର ସମ୍ପର୍କରେ ସେ ଜାଣନ୍ତି ନାହିଁ। ଆମେରିକା ଏଭଳି କୌଣସି ପଦକ୍ଷେପ ନେଇନାହିଁ ଏବଂ ଏଭଳି ଖବରରେ କୌଣସି ସତ୍ୟତା ନାହିଁ। ସୂଚନାଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ପଛରେ ଭାରତର ହାଇକମିସନର ସଞ୍ଜୟ ବର୍ମା ଓ ଅନ୍ୟ ଅଧିକାରୀମାନେ ସମ୍ପୃକ୍ତ ବୋଲି କାନାଡ଼ା ଅଭିଯୋଗ କରିଥିଲା। ଏହି ଅଭିଯୋଗ ପରେ ଭାରତ କାନାଡାର ରାଷ୍ଟ୍ରଦୂତଙ୍କୁ ହଟାଇଥିଲା ଓ କାନାଡାରେ କାର୍ଯ୍ୟକରୁଥିବା ଦୂତାବାସ ଅଧିକାରୀଙ୍କୁ ଫେରାଇ ଆଣିଥିଲା।
Follow Us