Image Courtesy of NDTV
ନୂଆଦିଲ୍ଲୀ: ନିଖୋଜ ହୋଇଯାଇଥିବା ଜଣେ ୮ ମାସର ଝିଅ ସମେତ ଆମେରିକାସ୍ଥିତ ଭାରତୀୟ ବଂଶୋଦ୍ଭବ ପରିବାରର ୪ଜଣ ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ଗୋଟାଏ ଫଳ ବଗିଚାରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ରିପୋର୍ଟରୁ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ କହିଛି।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ଉତ୍ତର କାଲିଫର୍ଣ୍ଣିଆ ଅନ୍ତର୍ଗତ ମର୍ସିଡ୍ କାଉଣ୍ଟିରେ ଥିବା ଟ୍ରକ୍ ପରିବହନ ବ୍ୟବସାୟ ପ୍ରତିଷ୍ଠାନରୁ ୮ ମାସର ଅରୂହି ଧେରି, ତା’ର ୩୬ ବର୍ଷିୟ ବାପା ଯଶଦୀପ ସିଂହ ଓ ୨୭ ବର୍ଷୀୟ ମାଆ ଯଶ୍ଲୀନ୍ କୌର୍ ଓ ଝିଅର ୩୯ ବର୍ଷିୟ ବଡ଼ବାପା ଅମନଦୀପ ସିଂହଙ୍କୁ ଅପହରଣ କରି ନିଆଯାଇଥିଲା ବୋଲି ମର୍ସିଡ୍ କାଉଣ୍ଟି ପୁଲିସ କହିଛି।
ଇଣ୍ଡିଆନା-ହଚିସନ୍ ସଡ଼କ ନିକଟବର୍ତ୍ତୀ ଗୋଟାଏ ଫଳ ବଗିଚାରୁ ବୁଧବାର ସନ୍ଧ୍ୟା ବେଳେ ଉପରୋକ୍ତ ୪ଜଣଙ୍କ ଶବ ଉଦ୍ଧାର କରାଯାଇଥିବା କଥା ମର୍ସିଡ୍ କାଉଣ୍ଟି ଶେରିଫ୍ ଭର୍ଣ୍ଣ ୱାର୍ଣ୍ଣକେ କହିଛନ୍ତି।
ପୁଲିସ କହିବା ଅନୁସାରେ, ଫଳ ବଗିଚା ନିକଟରେ ଜଣେ ଶ୍ରମଜୀବୀ ଶବଗୁଡ଼ିକୁ ଦେଖି ସରକାରୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।
Image Courtesy of India TVବୁଧବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଶେରିଫ୍ ୱାର୍ଣ୍ଣକେ କହିଛନ୍ତି, କ୍ରୋଧ ପରିପ୍ରକାଶ ପାଇଁ ଭାଷା ପାଉନାହିଁ।
ପରିବାରକୁ ଅପହରଣ କରାଯିବା ମୁହୂର୍ତ୍ତ ଭିଡିଓ ବୁଧବାର ଦିନ ପୁଲିସ ରିଲିଜ୍ କରିଥିଲା। ସେଥିରେ ଦେଖାଯାଉଛି, ଏକତ୍ର ହାତବନ୍ଧା ଅବସ୍ଥାରେ ଯଶଦୀପ ଓ ଅମନଦୀପ ବ୍ୟବସାୟ ପ୍ରତିଷ୍ଠାନରୁ ବାହାରକୁ ଆସୁଛନ୍ତି। ଅଳ୍ପ ସମୟ ପରେ ଅପହରଣକାରୀଙ୍କ ସହିତ ଶିଶୁକନ୍ୟା ଓ ତା’ର ମାଆ ବାହାରି ଆସୁଥିବା ଦେଖାଯାଉଛି। ତା’ପରେ ଚାରିଜଣଙ୍କୁ ଗୋଟାଏ ଟ୍ରକ୍ରେ ବସାଇ ଘଟଣାସ୍ଥଳରୁ ଦୂରକୁ ନିଆଯାଉଛି।
ପରିବାରକୁ ଅପହରଣ କରି ନିଆଯିବାର ଦିନକ ପରେ ପୁଲିସ ସନ୍ଦିଗ୍ଧ ଅପହରଣକାରୀ ୪୮ ବର୍ଷିୟ ଜେଜସ୍ ମାନୁଏଲ୍ ସାଲଗାଡ଼ୋଙ୍କୁ ହାଜତକୁ ନେଇଛି। ପୁଲିସ କହିଛି କି, ସାଲ୍ଗାଡ଼ୋ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଡାକ୍ତରଖାନାରେ ଚିକିତ୍ସା କରିବା ପରେ ସେ ସୁସ୍ଥ ହେଉଛନ୍ତି।
ସାଲ୍ଗାଡ଼ୋ ହିଁ ଆତତାୟୀ ବୋଲି ତା’ର ପରିବାର ଲୋକେ ପୁଲିସକୁ କହିଥିବା କଥା ମର୍ସିଡ୍ କାଉଣ୍ଟି ପୁଲିସ କହିଛି।
Follow Us