Image Courtesy of The Reuters
ନୂଆଦିଲ୍ଲୀ: ୩୬ ବର୍ଷିୟ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍-ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଗତ ଦୁଇ ସପ୍ତାହ ହେବ ସର୍ବସାଧାରଣରେ ଅନେକ କାଳ୍ପନିକ ଆଲୋଚନା ଚାଲିଥିବା ବେଳେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗୁଜବ ଉଠିଛି। ଏହାର ସତ୍ୟତା ଜାଣିବାକୁ ଉଭୟ ଆମେରିକା ଓ ଚୀନ୍ ପ୍ରୟାସ ଆରମ୍ଭ କରିଛନ୍ତି।
ଉତ୍ତର କୋରିଆ ନେତାଙ୍କର ମୃତ୍ୟୁ ହୋଇଛି ବୋଲି ଚୀନ୍ର ସାମ୍ବାଦିକା ସିଜିଆନ୍ ଜିଙ୍ଗ୍ଜୌ ଅତି ବିଶ୍ବସ୍ଥସୂତ୍ରରୁ ଜାଣିଛନ୍ତି ବୋଲି ଦାବି କରିଛନ୍ତି। ଚୀନ୍ର ସାମାଜିକ ଗଣମାଧ୍ୟମ ସାଇଟ୍ ‘ୱେଇବୋ’ରେ ତାଙ୍କର ୧୫ ନିୟୁତ ଅନୁସରଣକାରୀ ଅଛନ୍ତି ଏବଂ ସେ ଦେଶର ଅନ୍ୟତମ ବୈଦେଶିକ ମନ୍ତ୍ରୀଙ୍କ ଝିଅ।
ହୃଦ୍ପିଣ୍ଡ ଅସ୍ତ୍ରୋପଚାର ପରେ କିମ୍ କୋମା ଅବସ୍ଥାରେ ଥିଲେ ବୋଲି ଏକ ଜାପାନୀ ସାପ୍ତାହିକୀ ରିପୋର୍ଟ କରିଛି। ସାପ୍ତାହିକ ଖବରକାଗଜ ‘ସୁକନ୍ ଗେଣ୍ଡାଇ’ ଦାବି କରିଛି ଯେ ମଫସଲ ଅଞ୍ଚଳ ବୁଲିଯାଇଥିବା ବେଳେ କିମ୍ ନିଜ ଛାତିକୁ ଜାବୁଡ଼ି ଧରି ତଳେ ପଡ଼ିଗଲେ। ତାଙ୍କ ସାଥିରେ ଯାଇଥିବା ଲୋକମାନେ ତାଙ୍କୁ ‘ସିପିଆର୍’ ଦେବା ସହ ଡାକ୍ତରଖାନାକୁ ନେଇ ଯାଇଥିଲେ। କିନ୍ତୁ, ତାଙ୍କ ଧମନୀରେ ଷ୍ଟେଣ୍ଟ୍ ଲଗାଇବାରେ ବିଳମ୍ବିତ ପଦ୍ଧତି ଅବଲମ୍ବନ କରାଯିବାରୁ ସେ ଖୁବ୍ ଅସୁସ୍ଥ ହୋଇ ପଡ଼ିଲେ।
Image Courtesy of Reutersବେଜିଙ୍ଗ୍ରୁ ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ, ଭୀତସ୍ତ୍ରସ୍ତ ସର୍ଜନ୍ଙ୍କ ହାତ ଥରିବାରୁ ତାଙ୍କ ହୃଦ୍ପିଣ୍ଡ ଅସ୍ତ୍ରୋପଚାର ଭୁଲ୍ ହୋଇଯାଇଥିଲା।
କରୋନାଭାଇରସ୍ ବିପତ୍ତି ବିଷୟରେ ଆଲୋଚନା କରିବାକୁ ଶାସକ ୱାର୍କସ୍ ପାର୍ଟିର ଏକ ବୈଠକରେ ଏପ୍ରିଲ୍ ୧୧ ତାରିଖ ଦିନ କିମ୍ଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା। ଏପ୍ରିଲ୍ ୧୨ ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର ହୋଇଥିବା କଥା ମଙ୍ଗଳବାର ଦିନ ଦକ୍ଷିଣ କୋରିଆର ଅନ୍ଲାଇନ୍ ଖବରକାଗଜ ‘ଡେଲି ଏନ୍କେ’ ଦାବି କରିଥିଲା।
Follow Us