କିସ୍ତୱାଡ଼ ବିପର୍ଯ୍ୟୟ: ନିଖୋଜ ୭୫ଙ୍କ ଜୀବିତ ଆଶା କ୍ଷୀଣ, ମୃତ୍ୟୁ ସଂଖ୍ୟା ୬୬କୁ ବୃଦ୍ଧି

ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଦୁର୍ଗମ ଚିସୋଟି ଗାଁରେ ପ୍ରବଳ ବାଦଲଫଟା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଭଗ୍ନାବଶେଷ ତଳେ ନିଖୋଜ ଥିବା ୭୫ ଜଣଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି।

gdjdggj

ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଦୁର୍ଗମ ଚିସୋଟି ଗାଁରେ ପ୍ରବଳ ବାଦଲଫଟା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଭଗ୍ନାବଶେଷ ତଳେ ନିଖୋଜ ଥିବା ୭୫ ଜଣଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି। ମଙ୍ଗଳବାର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଷଷ୍ଠ ଦିନରେ ପହଂଚିଥିବା ବେଳେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌), ଭାରତୀୟ ସେନା, ସୀମା ସଡ଼କ ସଂଗଠନ (ବିଆର୍‌ଓ), ସ୍ଥାନୀୟ ପୁଲିସ ଓ ଅନ୍ୟାନ୍ୟ ବେସାମରିକ ଏଜେନ୍ସିର କର୍ମଚାରୀଙ୍କୁ ନେଇ ଗଠିତ ଉଦ୍ଧାରକାରୀ ଦଳ ବିପର୍ଯ୍ୟୟ ପ୍ରଭାବିତ ଗ୍ରାମରେ ୨୪ ଘଣ୍ଟିଆ ଅଭିଯାନ ଜାରି ରଖିଛନ୍ତି।

ସର୍ଚ୍ଚ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ସେନା ଦୁଇଟି ସ୍ପେଶାଲିଷ୍ଟ ମୋବିଲିଟି ଭେଇକିଲ, ଅଲ-ଟେରେନ ଭେଇକିଲ (ଏଟିଭି) ମୁତୟନ କରିଛି। ଏହି ଅଞ୍ଚଳରେ ଜେସିବି, ଏଲ୍‌ଏନ୍‌ଟି ସମେତ ଭାରୀ ଯନ୍ତ୍ରପାତି ମୁତୟନ କରାଯାଇଛି। ଜମ୍ମୁସ୍ଥିତ ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁଯାୟୀ ସେନାର ୫ଟି ରିଲିଫ୍ ଟିମ୍ ସକ୍ରିୟ ଭାବେ ଏହି ଅଭିଯାନରେ ନିୟୋଜିତ ଅଛନ୍ତି। ଅତିରିକ୍ତ ଡାକ୍ତରୀ ଦଳ ଓ ଉପକରଣ ମଗାଯାଇଛି। ସେନାର ବରିଷ୍ଠ ଅଧିକାରୀମାନେ ସ୍ଥଳଭାଗରେ ଉପସ୍ଥିତ ରହି ମଲ୍ଟି ଏଜେନ୍ସି ଅପରେସନର ତଦାରଖ ଓ ସମନ୍ୱୟ କରୁଛନ୍ତି।

ଗୁରୁବାର ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଲଙ୍ଗର (କମ୍ୟୁନିଟି ରୋଷେଇ ଘର) ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଉଦ୍ଧାରକାରୀ ଦଳ ଆବର୍ଜନା ସଫା କରୁଛନ୍ତି। କ୍ଷତିଗ୍ରସ୍ତ ଘର ଓ ଦୋକାନ ସହ ବନ୍ୟା ପ୍ରଭାବିତ ସ୍ରୋତରେ ମଧ୍ୟ ଟିମ୍ ଖୋଜାଖୋଜି କରୁଛି। ସର୍ଚ୍ଚ ପ୍ରୟାସରେ ବାଧା ସୃଷ୍ଟି କରୁଥିବା ବଡ଼ ବଡ଼ ପଥର ହଟାଇବା ପାଇଁ ସେନା ନିୟନ୍ତ୍ରିତ ବିସ୍ଫୋରଣ କରିଛି। ସୋମବାର ଝରଣାରୁ ଦୁଇଟି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଏସ୍‌ଡିଆର୍‌ଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କୁ ଆନୁଷ୍ଠାନିକ ଚିହ୍ନଟ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଏହି ଦୁଇଜଣଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ତୀର୍ଥଯାତ୍ରୀ, ୭ ଜଣ ସ୍ଥାନୀୟ ବାସିନ୍ଦା, ୩ ଜଣ ସିଆଇଏସ୍ଏଫ୍ ଯବାନ ଓ ଜମ୍ମୁ-କାଶ୍ମୀର ପୁଲିସର ଜଣେ ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସ୍‌ପିଓ) ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ପରିଚୟ ମିଳିପାରିନାହିଁ। ୭୫ ଜଣ ଏବେ ବି ନିଖୋଜ ଅଛନ୍ତି। ସମସ୍ତ ନିଖୋଜ ବ୍ୟକ୍ତିଙ୍କୁ ଠାବ ନ କରିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଏସ୍‌ଡିଆର୍‌ଏଫ୍‌ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe