କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି; ଆଜି କୋଲ୍‌କାତାରେ ଶବ ବ୍ୟବଚ୍ଛେଦ କରାଯିବ

Advertisment
କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି; ଆଜି କୋଲ୍‌କାତାରେ ଶବ ବ୍ୟବଚ୍ଛେଦ କରାଯିବ

Image Courtesy of India Today

କୋଲ୍‌କାତା: କେ.କେ. ନାମରେ ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଘଟଣାରେ କୋଲ୍‌କାତା ପୁଲିସ ‘ନ୍ୟୁ ମାର୍କେଟ୍‌’ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି।

ମେ ୩୧ ତାରିଖ ରାତିରେ ‘ମ୍ୟୁଜିକାଲ୍‌ କନସର୍ଟ’ରୁ ଫେରିବା ପରେ ‘ନ୍ୟୁ ମାର୍କେଟ୍‌’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍‌ ହୋଟେଲ୍‌’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଛି ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।

ପୁଲିସସୂତ୍ରରୁ ପ୍ରକାଶ, କେ.କେ.ଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଆଜି କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଶବ ବ୍ୟବଚ୍ଛେଦ କରାଯିବ। ପୁଲିସ ହୋଟେଲ୍‌ କର୍ମଚାରୀ ଏବଂ କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ମଧ୍ୟ ପଚରାଉଚରା କରିବ।

‘ଦି ଟେଲିଗ୍ରାଫ୍‌’ ରିପୋର୍ଟ ଅନୁସାରେ, କୋଲ୍‌କାତାର ନଜ୍‌ରୁଲ୍‌ ମଞ୍ଚରେ ୨ଟି କାର୍ଯ୍ୟକ୍ରମ‌ ପରିବେଶଣ କରିବା ଲାଗି କେ.କେ. ଆସିଥିଲେ। ସୋମବାର ରାତିର କାର୍ଯ୍ୟକ୍ରମଟି ଥିଲା ଠାକୁରପୁରର ବିବେକାନନ୍ଦ କଲେଜର। ମଙ୍ଗଳବାର ରାତିର ସେ ଉଲଟାଡଙ୍ଗାସ୍ଥିତ ଗୁରୁଦାସ ମହାବିଦ୍ୟାଳୟ ଆୟୋଜନ କରିଥିବା ବାର୍ଷିକ ସାମାଜିକ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ।

publive-image Image Courtesy of The Telegraph Online

ଅସୁସ୍ଥ ଅନୁଭବ କରୁଛନ୍ତି ବୋଲି ‘କନ୍‌ସର୍ଟ’ ବେଳେ ମଧ୍ୟ ସେ କହିଥିଲେ। ସେଠାରୁ ଓବେରୟ ଗ୍ରାଣ୍ଡ୍‌ ହୋଟେଲ୍‌କୁ ଫେରିବା ବାଟରେ କାର୍‌ର ଏ.ସି. ଅନ୍‌ କରିବାରୁ ଥଣ୍ଡା ଲାଗୁଛି ବୋଲି ସେ ତାଙ୍କର ସେକ୍ରେଟେରି ହିତେଶ ଭଟ୍ଟଙ୍କୁ କହିଲେ। ‌ତାଙ୍କ ସହିତ ସେଲ୍‌ଫି ଉଠାଇବା ପାଇଁ ହୋଟେଲ୍‌ରେ କେତେଜଣ ପ୍ରଶଂସକ ମଧ୍ୟ ତାଙ୍କ ପ୍ରତୀକ୍ଷାରେ ଥିଲେ। କିନ୍ତୁ, ଆଜି ଭଲଲାଗୁ ନାହିଁ ବୋଲି ସେ ବିନମ୍ରତାର ସହିତ କହି ସେଲ୍‌ଫି ଉଠାଇବା ପାଇଁ ମନା କରିଦେଇଥିଲେ ବୋଲି ‘କନ୍‌ସର୍ଟ’ର ଆୟୋଜକ ତୋଚନ ଘୋଷ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହୋଟେଲ୍‌ରେ ତାଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଠରିକୁ ଯାଇ କେ.କେ. ସୋଫା ଉପରେ ଟଳିପଡ଼ିଥିଲେ। ମୁଁ ସେ କୋଠରିରେ ଥିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲି।

ସଦ୍ୟତମ ସୂଚନା ଅନୁସାରେ, କେ.କେ.ଙ୍କ ପରିବାର ଲୋକେ ଏବେ କୋଲ୍‌କାତା ଅଭିମୁଖେ ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଜନ୍ମିତ କେ.କେ. ପ୍ରଥମେ ଏ.ଆର୍‌. ରହମନ୍‌ଙ୍କ ହିଟ୍‌ ଗୀତ ‘କଲ୍ଲୁରି ସାଲେ’ ଏବଂ ‘ହେଲୋ ଡକ୍ଟର୍‌’  ଗାଇ ଜଣେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଗୁଲ୍‌ଜାର୍‌ଙ୍କ ‘ମାଚିସ୍‌’ ଚଳଚ୍ଚିତରେ ‘ଛୋଡ୍‌ ଆୟେ ହମ୍‌’ ଗୀତରେ କୀୟଦଂଶ ଗାଇ ସେ ବଲିଉଡ୍‌ ପାଇଁ ଗାୟନ ଆରମ୍ଭ କରିଥିଲେ। କିନ୍ତୁ, ୧୯୯୯ର ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ସେ ଗାଇଥିବା ‘ତଡ଼ପ୍‌ ତଡ଼ପ୍‌ କେ’ ଗୀତଟି ତାଙ୍କୁ ଅଶେଷ ଲୋକପ୍ରିୟ କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe