ନୂଆଦିଲ୍ଲୀ: ବିଦା ହେଲେ ବାଂଲାଦେଶୀ କ୍ରିକେଟର। ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବିସିସିଆଇର ନିର୍ଦ୍ଦେଶ ପରେ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ବିଦା କରିଛି କେକେଆର।ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ୪ଝଣଙ୍କୁ ହତ୍ୟା କରାଯାଇଛି। ଏହା ସତ୍ତ୍ବେ ବି କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିବାରୁ ବିବାଦ ଆରମ୍ଭ ହୋଇଥିଲା। ଏଥିପାଇଁ କେକେଆର ମାଲିକ ତଥା ଅଭିନେତା ଶାହରୁଖ ଖାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ବିବାଦ ବଢ଼ୁଥିବା ଦେଖି ବିସିସିଆଇ ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବା ପାଇଁ କେକେଆରକୁ ନିର୍ଦ୍ଦେଶ ଦେଇଥିଲା। ଗତ ମାସରେ ଅନୁଷ୍ଠିତ ମିନି ନିଲାମରେ KKR ମୁସ୍ତାଫିଜୁରଙ୍କୁ ୯.୨୦କୋଟି ଟଙ୍କାରେ କିଣିଥିଲା।

Advertisment

ଏକ୍ସରେ ପୋଷ୍ଟ କରି ଘୋଷଣା କଲା KKR 

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଏକ ଅଧିକାରୀକ ବିବୃତି ଜାରି କରାଯାଇଛି। ସେଥିରେ କୁହାଯାଇଛି, "କେକେଆର ନିଶ୍ଚିତ କରୁଛି ଯେ, ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ସିଜିନ ପୂର୍ବରୁ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ମୁକ୍ତ କରିବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା। ବିସିସିଆଇର ନିର୍ଦ୍ଦେଶ ପରେ ଏବେ ଆମେ ରହମାନଙ୍କୁ ଦଳରୁ ମୁକ୍ତ କରିଛୁ। ଆଇପିଏଲ ନିୟମ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସକୁ ଆଉ ଜଣେ ଖେଳାଳିଙ୍କୁ ସାମିଲ କରିବା ପାଇଁ ଅନୁମତି ଦେଇଛି ବିସିସିଆଇ । ଅଧିକ ବିବରଣୀ ଉପଯୁକ୍ତ ସମୟରେ ସେୟାର କରାଯିବ।"

‌ଟ୍ରୋଲ ହୋଇଥିଲେ ଶାହରୁଖ

ବଲିଉଡ ଅଭିନେତା ଶାହରୁଖ ଖାନ୍ କେକେଆରର ସହ-ମାଲିକ ହୋଇଥିବାରୁ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ଅଖଡ଼ା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଥିଲେ। ସେ କହିଥିଲେ, "ଶାହାରୁଖ ଖାନଙ୍କୁ ଯାହା ସମ୍ମାନ ଏବଂ ସ୍ୱୀକୃତି ମିଳିଛି ତାହା ଭାରତ ଏବଂ ଏହାର ଲୋକଙ୍କ ଯୋଗୁଁ। ତେଣୁ, ତାଙ୍କୁ ଦେଶବାସୀଙ୍କ ଭାବନା ଏବଂ ଜାତୀୟ ସ୍ୱାର୍ଥକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ଦେଶ ବିରୋଧୀ ଚିନ୍ତାଧାରା କିମ୍ବା ଦେଶବାସୀଙ୍କ ଭାବନା ବିରୋଧରେ ଯାଉଥିବା ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଏହା ଆମ ବିଶ୍ୱାସକୁ ଆଘାତ ଦେଇଛି। ମୁଁ ଚାହୁଁଛି ଯେ ଶାହରୁଖ ତାଙ୍କ ନିଷ୍ପତ୍ତିକୁ ବଦଳାନ୍ତୁ।"

ପ୍ରତିବାଦ କରିବୁ: ଶିବସେନା (UBT)

ଶିବସେନା (UBT) ସବୁଠାରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲା ଯେ, ଯଦି ବାଂଲାଦେଶୀ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଏ ତେବେ ପ୍ରତିବାଦ କରାଯିବ। ଦଳର ମୁଖପାତ୍ର ଆନନ୍ଦ ଦୁବେ କହିଥିଲେ ଯେ, "ଯଦି ଶାହରୁଖ ଖାନ ତାଙ୍କୁ ତାଙ୍କ ଦଳରୁ ବାହାର କରିଦିଅନ୍ତି, ତେବେ ଆମେ ସମସ୍ତେ ତାଙ୍କୁ ସମ୍ମାନ ଦେବୁ, ସମ୍ମାନିତ କରିବୁ,ଏବଂ ତାଙ୍କୁ ଉପଯୁକ୍ତ ସ୍ୱୀକୃତି ଦେବୁ। କିନ୍ତୁ ଯଦି ଶାହରୁଖ ଖାନ ତାଙ୍କୁ ଖେଳିବାକୁ ଦେଇ ଟଙ୍କା ରୋଜଗାର କରନ୍ତି, ତେବେ ସେହି ଟଙ୍କା ବାଂଲାଦେଶରେ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ଆମ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା ପାଇଁ ବ୍ୟବହୃତ ହେବ। ଆମେ କୌଣସି ପରିସ୍ଥିତିରେ ଏହା ହେବାକୁ ଦେବୁ ନାହିଁ। ବାଂଲାଦେଶ ଏବଂ ପାକିସ୍ତାନ ଉଭୟ ଆମର ଶତ୍ରୁ। ସେମାନଙ୍କୁ ସମ୍ପୂର୍ଣ୍ଣ ବୟକଟ ନକରି ଆମେ ଶାନ୍ତ ରହିବୁ ନାହିଁ।"

ଆହୁରି ପଢ଼ନ୍ତୁ: How to distinguish between real and fake tea: ଅସଲି ଓ ନକଲି ଚା’ ମଧ୍ୟରେ କିପରି ପାର୍ଥକ୍ୟ କରିବେ, ଘରେ ଆପଣାନ୍ତୁ ଏହାର ଉପାୟ...