କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ଜୁନିୟର୍ ଡାକ୍ତରମାନେ କରିଥିବା ଆନ୍ଦୋଳନ ଶେଷ ହେବାକୁ ଯାଉଛି। ସେମାନେ ସେପ୍ଟେମ୍ବର ୨୧ ତାରିଖରୁ ଡାକ୍ତରଖାନାରେ ଜରୁରୀ ସେବା ଆରମ୍ଭ କରିବେ। ଦୀର୍ଘ ୪୧ ଦିନର ବିରୋଧ ପରେ ସେମାନେ ଧର୍ମଘଟ ବନ୍ଦ କରିବାକୁ ଯାଉଛନ୍ତି।
କୋଲକାତାର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ତ୍ୱରାନ୍ୱିତ କରିବାକୁ ସିବିଆଇକୁ ଅନୁରୋଧ କରି ଡାକ୍ତରମାନେ ଆଜି ଅପରାହ୍ନ ୩ଟାରେ ସ୍ବାସ୍ଥ୍ୟ ଭବନରୁ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରିବେ।
ଆନ୍ଦେଳରତ ଡାକ୍ତରମାନେ କହିଛନ୍ତି, "ଆମେ ଏଠାରୁ ବିରୋଧ ବନ୍ଦ କରୁଛୁ ଏବଂ ଆଜି ଅପରାହ୍ନ ୩ଟାରେ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରିବୁ। ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକୁ ସିବିଆଇ ତ୍ୱରାନ୍ୱିତ କରିବା ଆବଶ୍ୟକ। ବନ୍ୟା ପରିସ୍ଥିତି ଥିବାରୁ ଶନିବାର ଦିନ ଆମେ କାମକୁ ଫେରିବୁ ଏବଂ ଆମକୁ ଏହା କରିବାକୁ ପଡୁଛି। ଶନିବାରଠାରୁ ଆମେ ଆମର ଜରୁରୀକାଳିନ କାମ କରିବୁ।’’
ଗୁରୁବାର ଦିନ ସେମାନେ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ନିକଟକୁ ପଶ୍ଚିମବଙ୍ଗ ସରକାରଙ୍କ ସହ ହୋଇଥିବା ଆଲୋଚନାରୁ ମୁଖ୍ୟ ବିଷୟଗୁଡ଼ିକୁ ଦର୍ଶାଇ ଏକ ଡ୍ରାଫ୍ଟ ଦାଖଲ କରିିଥିଲେ। ସେମାନେ ବର୍ତ୍ତମାନ ସେମାନଙ୍କ ପ୍ରସ୍ତାବ ଉପରେ ରାଜ୍ୟର ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି।
Follow Us