କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଆଶଙ୍କା

Advertisment

ତଦନ୍ତ ଆରମ୍ଭ କଲା ସିବିଆଇ, ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଜାରି

ତଦନ୍ତ ଆରମ୍ଭ କଲା ସିବିଆଇ, ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଜାରି

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଆଶଙ୍କା

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ୧୫୦ମିଲିଗ୍ରାମରୁ ଅଧିକ ତରଳ ପଦାର୍ଥ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ସିବିଆଇ ଏବେ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି। ଅଗଷ୍ଟ ୯ ତାରିଖ ଭୋର ୩ଟାରୁ ୫ଟା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ୯ ତାରିଖ ସକାଳେ ହସ୍ପିଟାଲର ସେମିନାର ପ୍ରକୋଷ୍ଠରୁ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ସିସିଟିଭି ଦୃଶ୍ୟ ଆଧାରରେ କୋଲକାତା ପୁଲିସର ଜଣେ ପୁଲିସ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀ ଏମ୍ସ, ଇନ୍ଦିରା ଗାନ୍ଧୀ ହସ୍ପିଟାଲ ଓ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ୍ (ଏଫ୍ଏଆଇଏମ୍ଏ) ସମେତ ଅନ୍ୟାନ୍ୟ ଆବାସିକ ଡାକ୍ତର ସଂଘର ଡାକ୍ତରମାନେ ମଙ୍ଗଳବାର କହିଛନ୍ତି ଯେ ଡାକ୍ତରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ରୋକିବା ପାଇଁ କେନ୍ଦ୍ରୀୟ ଆଇନ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ସୁରକ୍ଷିତ କାର୍ଯ୍ୟ ବାତାବରଣ ଯୋଗାଇ ଦେବା ପାଇଁ ଡାକ୍ତର ସଂଘ (ଫୋର୍ଡା) ଦାବି କରିଥିଲା। ସେମାନଙ୍କ ଦାବିକୁ ଗ୍ରହଣ କରିବା ପରେ ଯାଇ ଧର୍ମଘଟ ପ୍ରତ୍ୟାହାର କରିବାକୁ ସଂଘ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏକ ବିବୃତିରେ ଏମ୍ସ କହିଛି ଯେ ସମସ୍ତ ଆବାସିକ ଡାକ୍ତରମାନେ ଧର୍ମଘଟ ଜାରି ରଖିବେ। ସିବିଆଇ ତଦନ୍ତକୁ ସ୍ୱାଗତ କରିବା ସହ ଧର୍ମଘଟ ସମୟରେ ଜରୁରିକାଳୀନ ସେବା, ଆଇସିୟୁ ଓ ଜରୁରିକାଳୀନ ଓଟି ଚାଲୁ ରହିବ ବୋଲି ଡାକ୍ତର ସଂଘ କହିଛି। ଦୁଇ ଜଣ ସିବିଆଇ ଅଧିକାରୀ ମଙ୍ଗଳବାର କୋଲକାତା ପୁଲିସଠାରୁ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ସମ୍ବନ୍ଧୀୟ କାଗଜପତ୍ର ନେଇଛନ୍ତି। ଟ୍ରେନି ଡାକ୍ତରଙ୍କ ପିତାମାତା ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ପ୍ରଥମେ ଡାକ୍ତରଖାନାର ଜଣେ ଅଧିକାରୀ କହିଥିଲେ ଯେ ସେମାନଙ୍କ ଝିଅ ଆତ୍ମହତ୍ୟା କରିଛି ଏବଂ ତାଙ୍କ ମୃତଦେହ ଦେଖିବା ପୂର୍ବରୁ ତାଙ୍କୁ ତିନି ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନା ବାହାରେ ଅପେକ୍ଷା କରିବାକୁ ବାଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe