ଅତ୍ୟଧିକ ଶୀତ ହେତୁ କୋଟା ହସ୍ପିଟାଲ୍‌ରେ ଆଉ ଜଣେ ଶିଶୁ ମୃତ, ଆବଶ୍ୟକୀୟ ଉପକରଣ ନଥିଲା

ଅତ୍ୟଧିକ ଶୀତ ହେତୁ କୋଟା ହସ୍ପିଟାଲ୍‌ରେ ଆଉ ଜଣେ ଶିଶୁ ମୃତ, ଆବଶ୍ୟକୀୟ ଉପକରଣ ନଥିଲା

(Photo | PTI)

କୋଟା: ରାଜସ୍ଥାନର କୋଟାଠାରେ ଥିବା ଜେକେ ଲୋନ୍‌ ହସ୍ପିଟାଲ୍‌ରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ‌ବେଳେ ଅତ୍ୟଧିକ ଶୀତ କାରଣରୁ ପୁଣି ଏକ ଶିଶୁର ମୃତ୍ୟୁ ହସ୍ପିଟାଲ୍‌ର ଦାୟିତ୍ବହୀନତାକୁ ସ୍ପଷ୍ଟ କରୁଛି। ହସ୍ପିଟାଲ୍‌ରେ ଆବଶ୍ୟକୀୟ ଉପକରଣ ନଥିବା କାରଣରୁ ଶିଶୁଟି ବଞ୍ଚାଇ ହୋଇନାହିଁ ବୋଲି ସୂଚନା ରହିିଛି।

ଜଣେ ନବଜାତକର ଶରୀରରେ ସର୍ବନିମ୍ନ ତାପମାତ୍ରା ୩୬.୫ ଡିଗ୍ରି ରହିବା ଜରୁରୀ ହୋଇଥିବା ବେଳେ ଶିଶୁଟିର  ଶରୀରର ତାପମାତ୍ରା କିନ୍ତୁ ଆକସ୍ମିକ ଭାବେ କମିଯିବାରୁ ତା’ର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଗତ ଏକ ମାସରେ ରାଜସ୍ଥାନର କୋଟାଠାରେ ଥିବା ଜେକେ ଲୋନ୍‌ ହସ୍ପିଟାଲ୍‌ରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟିବା ନେଇ ହସ୍ପିଟାଲ୍‌ର ଅବହେଳାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପଟେ ଏହାକୁ ଅସ୍ବୀକାର କରି ଚାଲିଛନ୍ତି ହସ୍ପିଟାଲ୍‌ କର୍ତ୍ତୃପକ୍ଷ। ହସ୍ପିଟାଲ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁଯାୟୀ ଗୁରୁତର ଥିବା ଶିଶୁମାନଙ୍କର ହିଁ ମୃତ୍ୟୁ ଘଟିଛି। ହସ୍ପିଟାଲ୍‌ ପକ୍ଷରୁ କୌଣସି ଅବହେଳା କରାଯାଇ ନାହିଁ।

ଏଣେ ନିକଟରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ହସ୍ପିଟାଲ୍‌ ବୁଲି ସ୍ଥିତି ପରଖିବା ପରେ ହସ୍ପିଟାଲ୍‌ରେ ଆବଶ୍ୟକୀୟ ଉପକରଣର ଅଭାବ ରହିଛି ବୋଲି କହିଥିଲେ। ଏହାଛଡ଼ା ପନ୍ଦର ଦିନ ମଧ୍ୟରେ ହସ୍ପିଟାଲ୍‌କୁ ସେ ସବୁ ଉପକରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶିଶୁ ମୃତ୍ୟୁକୁ ନେଇ ନିଜର ମତ ରଖି କହିଥିଲେ ‘ହସ୍ପିଟାଲ୍‌ରେ ଲଗାତାର ଭାବେ ଏପରି ଶିଶୁ ମୃତ୍ୟୁ ଏହି ସୂଚନା ଦେଉଛି ଯେ ରାଜସ୍ଥାନ ସରକାରଙ୍କର ଏ ନେଇ କୌଣସି ଧ୍ୟାନ ନାହିଁ। ଏହା ପାଇଁ ସରକାର କି ଦଣ୍ଡ ଦେବେ ତାହା ସେ କହିବା ଉଚିତ?’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe