କର୍ଣ୍ଣାଟକ ସହ ୭ ବର୍ଷ ଆଇନ ଯୁଦ୍ଧ ଲଢ଼ି ‘କେଏସ୍‌ଆର୍‌ଟିସି’ ପାଇଲା କେରଳ

କର୍ଣ୍ଣାଟକ ସହ ୭ ବର୍ଷ ଆଇନ ଯୁଦ୍ଧ ଲଢ଼ି ‘କେଏସ୍‌ଆର୍‌ଟିସି’ ପାଇଲା କେରଳ

Image Courtesy of India Today

ତିରୁବନନ୍ତପୁରମ: ‘କେରଳ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍‌ସ୍‌ପୋର୍ଟ କର୍ପୋରେସନ୍‌’ରେ ଥିବା ଶବ୍ଦଗୁଡ଼ିକର ମୂଳ ଅକ୍ଷରକୁ ମିଶାଇ କରାଯାଇଥିବା ସଂକ୍ଷେପଣ ‘କେଏସ୍‌ଆର୍‌ଟିସି’, ତାହାର ନାମ ସଙ୍କେତ ଏବଂ ଶ୍ରଦ୍ଧା ନାମ ‘ଆନୱଣ୍ଡି’ (ହାତୀଗାଡ଼ି) ଏବେ କେରଳ ମାଲିକାନାକୁ ଆସିଛି। ପୂର୍ବରୁ ଏହାକୁ ଉଭୟ କେରଳ ଓ କର୍ଣ୍ଣାଟକ ସଡ଼କ ପରିବହନ ନିଗମ ବ୍ୟବହାର କରି ଆସୁଥିଲେ। ଏବେ କେବଳ କେରଳ ‘କେଏସ୍‌ଆର୍‌ଟିସି’ ବ୍ୟବହାର କରିପାରିବ ବୋଲି ‘ଦି ଟ୍ରେଡ୍‌ମାର୍କ ଅଫ୍ ରେଜିଷ୍ଟ୍ରି’ ଆଦେଶନାମା ଜାରି କରିଛି।

ସାଧାରଣ ପରିବହନ ସେବାରେ ଉଭୟ ରାଜ୍ୟ ବର୍ଷ ବର୍ଷ ଧରି ‘କେଏସ୍‌ଆର୍‌ଟିସି’ ବ୍ୟବହାର କରି ଆସୁଥିଲେ ବି, ୨୦୧୪ରେ କର୍ଣ୍ଣାଟକ କେରଳକୁ ନୋଟିସ୍ ଜାରି କରି ଲେଖିଥିଲା ଯେ, ‘କେଏସ୍‌ଆର୍‌ଟିସି’ କର୍ଣ୍ଣାଟକର। ତେଣୁ, ‘କେରଳ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍‌ସ୍‌ପୋର୍ଟ କର୍ପୋରେସନ୍‌’ ଏହାକୁ ବ୍ୟବହାର କରିବା ଅନୁଚିତ।

ନୋଟିସ୍‌ ପାଇବା ପରେ, ‘କେରଳ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍‌ସ୍‌ପୋର୍ଟ କର୍ପୋରେସନ୍‌’ର ତତ୍କାଳୀନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଆନ୍ଥୋନି ଚାକୋ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ‘ରେଜିଷ୍ଟ୍ରାର୍‌ ଅଫ୍‌ ଟ୍ରେଡ୍‌ମାର୍କ’ରେ ଆବେଦନ କରିଥିଲେ। ସେବେଠାରୁ ଦୁଇ ରାଜ୍ୟ ମଧ୍ୟରେ ସାତ ବର୍ଷ ଧରି ଆଇନଗତ ସଂଗ୍ରାମ ଜାରି ରହିଥିଲା।

publive-image Image Courtesy of Aanavandi

ଶେଷରେ ଟ୍ରେଡ୍‌ମାର୍କ ଆକ୍ଟ୍‌ ୧୯୯୯ ଅନୁଯାୟୀ ‘ଟ୍ରେଡ୍‌ମାର୍କସ୍‌ ଅଫ୍‌ ରେଜିଷ୍ଟ୍ରି’ ‘କେଏସ୍‌ଆର୍‌ଟିସି’ ଏବଂ ଶ୍ରଦ୍ଧା ନାମ ‘ଆନୱଣ୍ଡି’କୁ କେରଳ ନାଁରେ ରେଜିଷ୍ଟ୍ରି କରିଛନ୍ତି। କେରଳ ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁ କହିଛନ୍ତି, ‘କେଏସ୍‌ଆର୍‌ଟିସି’ର ଇତିହାସ ସମସ୍ତ କେରଳୀଙ୍କ ଜୀବନ ସହ ଛନ୍ଦି ହୋଇ ରହିଛି। ଏହା କେବଳ ସାଧାରଣ ପରିବହନ ସେବା ନୁହେଁ। ସିନେମା ଓ ସାହିତ୍ୟ ସମେତ ‘କେଏସ୍‌ଆର୍‌ଟିସି’ କେରଳର ସାଂସ୍କୃତିକ ଜୀବନରେ ମଧ୍ୟ ମୁଦ୍ରିତ ହୋଇ ରହିଛି। ତେଣୁ, ତାହାକୁ ସହଜେ ଲିଭାଇ ଦିଆଯାଇ ପାରିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଟ୍ରେଡ୍‌ମାର୍କ ରେଜିଷ୍ଟ୍ରି’ ସତ୍ୟର ସନ୍ଧାନ କରିପାରିଥିବାରୁ ମୁଁ ଆନନ୍ଦିତ। ଏହି ସଫଳତା ପାଇଁ କାର୍ଯ୍ୟ କରିଥିବା ‘କେଏସ୍‌ଆର୍‌ଟିସି’ ଅଧିକାରୀଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।

‘କେଏସ୍‌ଆର୍‌ଟିସି’ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ବିଜୁ ପ୍ରଭାକର କହିଛନ୍ତି ଯେ, ଏଥର ‘କେଏସ୍‌ଆର୍‌ଟିସି’ କେବଳ କେରଳ ପାଇଁ ବ୍ୟବହାର ହେବ। ତେଣୁ, ଅବି‌ଳମ୍ବେ ‌‘କର୍ଣ୍ଣାଟକ ଆର୍‌ଟିସି’ ନୋଟିସ୍ ପଠାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ଅନେକେ ଶ୍ରଦ୍ଧାନାମ ‘ଆନୱଣ୍ଡି’ ବ୍ୟବହାର କରୁଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe