କୁଳଭୂଷଣଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଅଛି: ପାକ୍‌

Advertisment
କୁଳଭୂଷଣଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଅଛି: ପାକ୍‌

ଇସ୍‌ଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ବର୍ଷ ଫେବ୍ରୁଆରିରେ ଆସିବାକୁ ଥିବା ବେଳେ ପାକିସ୍ତାନ କିନ୍ତୁ କୁଳଭୂଷଣଙ୍କୁ ଛାଡ଼ିବା ବିପକ୍ଷରେ ରହିଛି। ତାଙ୍କ ବିରୋଧରେ ପ୍ରମାଣ ହାସଲ ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛି। ଏମିତି କି ପାକିସ୍ତାନ ନିକଟରେ କୁଳଭୂଷଣଙ୍କ ବିରୋଧରେ ଠୋସ ପ୍ରମାଣ ରହିଛି ବୋଲି ଦେଶର ନୂଆ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶି ଗୁରୁବାର ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, କୁଳଭୂଷଣଙ୍କ ମାମଲା ଏବେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ବିଚାରାଧୀନ ରହିଛି। ଆସନ୍ତା ଫେବ୍ରୁଆରିରେ ଗୋଟିଏ ସପ୍ତାହର ଶୁଣାଣି ପରେ ରାୟ ପ୍ରକାଶ ପାଇବ ବୋଲି କୁହାଯାଇଛି। କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଏବଂ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ସାମରିକ ଅଦାଲତ ୨୦୧୭ ଏପ୍ରିଲ୍‌ରେ ମୃତ୍ୟୁଦଣ୍ଡ ଶୁଣାଇଛି। ତେବେ ଏହି ମାମଲା ଏବେ ଆଇସିଜେରେ ବିଚାରାଧୀନ ଥିବା ବେଳେ ପାକିସ୍ତାନ ଓ ଭାରତ ଏ ନେଇ ନିଜ ନିଜ ବିସ୍ତୃତ ଆବେଦନ ଏବଂ ଜବାବ ଦାଖଲ କରିଛନ୍ତି।

କ୍ୟୁରେଶି ଆଜି ଗଣମାଧ୍ୟମରେ କହିଛନ୍ତି ଯେ ଯାଦବଙ୍କ ବିରୋଧରେ ପ୍ରମାଣ ରହିଛି ଏବଂ ଏହାକୁ ଆଧାର କରି ଆମେ ଆଇସିଜେରେ ବିଜୟ ଲାଭ କରିବୁ। ଆଇସିଜେଙ୍କ ନିକଟରେ ଆମେ ଠୋସ ପ୍ରମାଣ ରଖିବା ପାଇଁ ଉଦ୍ୟମ କରିବୁ। ଅନ୍ୟପକ୍ଷରେ ପାକିସ୍ତାନର ସମସ୍ତ ଯୁକ୍ତିକୁ ଭାରତ ଖଣ୍ଡନ କରିଛି। ଇରାନ୍‌ରୁ ଯାଦବଙ୍କୁ ଅପହରଣ କରିନିଆଯାଇଛି। ନୌସେନାରୁ ଅବସର ନେବା ପରେ କୁଳଭୂଷଣ ଇରାନ୍‌ରେ ରହି ବ୍ୟବସାୟ କରୁଥିଲେ। ଭାରତ ସରକାରଙ୍କ ସହିତ ତାଙ୍କର କୌଣସି ସଂପର୍କ ନାହିଁ। ପାକିସ୍ତାନ ଜାଣିଶୁଣି ଏଭଳି ମିଥ୍ୟା ଦାବି କରୁଛି। ଭାରତ-ପାକିସ୍ତାନ କଥାବାର୍ତା ପ୍ରସଙ୍ଗରେ କ୍ୟୁରେଶି କହିଛନ୍ତି, ଆମେ ଚାହୁଛୁ କଶ୍ମୀର ସମସ୍ୟାର ପ୍ରତିକାର ହେଉ। ଏଥିପାଇଁ ଶୀଘ୍ର ଦୁଇରାଷ୍ଟ୍ର ମଧ୍ୟରେ ଆଲୋଚନା ହେଉ। ଆଶା କରୁଛୁ ପାକ୍‌ ସହିତ କଥାବାର୍ତା କରିବା ଲାଗି ଭାରତ ପଦକ୍ଷେପ ନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe