ୟୁପିଏ ଶରଣରେ କୁଶ୍‌ୱାହା ଏନ୍‌ଡିଏରେ ପ୍ରତାରିତ ହେଉଥିଲି

Advertisment
ୟୁପିଏ ଶରଣରେ କୁଶ୍‌ୱାହା ଏନ୍‌ଡିଏରେ ପ୍ରତାରିତ ହେଉଥିଲି

ନୂଆଦିଲ୍ଲୀ: ମୋଦୀ ସରକାରରେ ମନ୍ତ୍ରୀ ପଦ ଛାଡ଼ିବା ଏବଂ ଏନ୍‌ଡିଏରୁ ସମ୍ପର୍କ ତୁଟାଇବା ପରେ ରାଷ୍ଟ୍ରୀୟ ଲୋକସମତା ପାର୍ଟି (ଆରଏଲ୍‌ଏସ୍‌ପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶ୍‌ୱାହା ଆଜି ୟୁପିଏର ଶରଣ ପଶିଛନ୍ତି। ଦିଲ୍ଲୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି କୁଶ୍‌ୱାହା ୟୁପିଏରେ ସାମିଲ ହୋଇଛନ୍ତି। ଏହାପରେ ବିହାରରେ ମହାମେଣ୍ଟର ଏକ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ନେତା ଶକ୍ତି ସିଂହ ଗୋହିଲ୍‌ ଯୋଗଦେଇ ୟୁପିଏରେ କୁଶ୍‌ୱାହା ସାମିଲ ହୋଇଥିବା ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ପାଇଁ ଏହା ଧକ୍କା ସଦୃଶ ହୋଇଛି। ଏହି ସୁଯୋଗରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ କୁଶ୍‌ୱାହାଙ୍କୁ ମହାମେଣ୍ଟକୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅହମ୍ମଦ ପଟେଲ୍‌, ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ କୁଶ୍‌ୱାହା କହିଛନ୍ତି, ଏନ୍‌ଡିଏରେ ବାରମ୍ବାର ପ୍ରତାରିତ ଓ ଅପମାନିତ ହେଉଥିଲି।

ଶେଷରେ ଏଥିରୁ ବାହାରିବାକୁ ବାଧ୍ୟ ହେଲି। ଏବେ ମୁଁ ୟୁପିଏରେ ସାମିଲ ହୋଇଛି। ୟୁପିଏ ସହ ରହି ରାଜ୍ୟ ତଥା ଦେଶ ପାଇଁ କାମ କରିବି। ତେଜସ୍ବୀ କହିଛନ୍ତି, ସମ୍ବିଧାନ ଓ ଦେଶକୁ ବଞ୍ଚାଇବା ପାଇଁ ମହାମେଣ୍ଟ ଏକ ଲଢ଼େଇ। ବର୍ତ୍ତମାନ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଦେଖାଦେଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ କୁଶ୍‌ୱାହା ଅସନ୍ତୁଷ୍ଟ ଥିଲେ। ବାରମ୍ବାର ଆଲୋଚନା ସତ୍ତ୍ବେ ଆର୍‌ଏଲ୍‌ଏସ୍‌ପିକୁ ଲୋକସଭା ନିର୍ବାଚନ ପାଇଁ ୨ଟି ଆସନରୁ ଅଧିକ ଦେବନାହିଁ ବୋଲି ବିଜେପି କହିଥିଲା। ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ ଏବଂ ବିଜେପି ସମାନ ଆସନରେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାପରଠାରୁ କୁଶ୍‌ୱାହା କଂଗ୍ରେସ ଏବଂ ଅନ୍ୟ ଅଣବିଜେପି ଦଳଗୁଡ଼ିକ ସହିତ ବିଚାରବିମର୍ଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe