ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ କଫିନକୁ ଧରି ଅଚେତ ହୋଇପଡ଼ୁଛନ୍ତି ପରିବାରଲୋକ

Advertisment
ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ କଫିନକୁ ଧରି ଅଚେତ ହୋଇପଡ଼ୁଛନ୍ତି ପରିବାରଲୋକ

କୋଚି: ଆଜି ସକାଳେ କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା। ମୃତଦେହଗୁଡ଼ିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପାଇଁ  ବିମାନବନ୍ଦର ଟର୍ମିନାଲ ବାହାରେ ୩୫ଟି ଆମ୍ବୁଲାନ୍ସ ଓ ଅ‌ନେକ ପୁଲିସ ଗାଡ଼ି ଧାଡ଼ି ଲାଗିଥିଲା। ଏହି ସମୟରେ ମୃତକଙ୍କ ପରିବାରଲୋକଙ୍କ କାନ୍ଦରେ ବିମାନବନ୍ଦର ଫାଟି ପଡ଼ୁଥିଲା। କେହିକେହି ନିଜ ଆତ୍ମୀୟଙ୍କ କଫିନ ଦେଖିବା ପରେ ଅଚେତ ହୋଇପଡ଼ୁଥିଲେ।

ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ  ୪୫ଜଣ ଭାରତୀୟଙ୍କ ମୃତଦେହକୁ ସ୍ୱଦେଶ ଅଣାଯାଇଛି । ବିମାନବନ୍ଦରରେ ୪୫ଜଣ ମୃତ ଭାରତୀୟଙ୍କ  ପରିବାର ସଦସ୍ୟଙ୍କ ମଧ୍ୟରୁ କିଛିଜଣ ଉପସ୍ଥିତ ଥିଲେ। ସେମାନେ ନିଜ ଆତ୍ମୀୟଙ୍କ କଫିନ ଦେଖି କୋହ ସମ୍ଭାଳି ପାରି ନଥିଲେ। କଫିନକୁ ଆଉଁସି ଆଉଁସି କହୁଥି‌ଲେ,‘ ଆମ ସମସ୍ତଙ୍କୁ ଛାଡ଼ି କେଉଁଆଡେ ଚାଲିଗଲା। ଘରକୁ ଶୀଘ୍ର ଆସିବ ବୋଲି ପା କଥା ଦେଇଥିଲି। ତୁମେ ଆମାମାନଙ୍କୁ ଏମିତି ଏକା କରି କେମିତି ଚାଲି ଯାଇପାରିଲ। ଏତେ ନିଷ୍ଠୁର କିପରି ହୋଇପାରିଲ।’

ଗତ ବୁଧବାର କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍‌ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ୧୯୫ଜଣ ଶ୍ରମିକ ଓ ସଂସ୍ଥାର କର୍ମଚାରୀ ରହୁଥିଲେ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଏବଂ ସେମାନେ କେରଳ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକ ଥିଲେ।  ଏହି ଅଗ୍ନିକାଣ୍ଡରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଥିବା ସୂଚନା ମିଳିଥିଲା।  ମୃତକଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe