Republic World
କିବ୍: ୟୁକ୍ରେନ୍ର ରାଜଧାନୀ କିବ୍ର ସହରତଳି ଅଞ୍ଚଳ ଏବଂ ଅନ୍ୟତମ ପ୍ରମୁଖ ସହର ଖାରକିଭ୍ ଉପରେ ରୁଷ୍ ଗତକାଲିଠାରୁ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ରୁଷ୍ ବୋମାବର୍ଷୀ ବିମାନଗୁଡ଼ିକ କିବ୍ ଅଂଚଳରେ ତୁହାକୁ ତୁହା ଆକ୍ରମଣ କରୁଥିବା ବେଳେ ଖାରକିଭ୍ରେ ରୁଷ୍ ସୈନିକ ପୁଣି ଟ୍ୟାଙ୍କ୍ରୁ ଗୋଳାବର୍ଷା କରିଛନ୍ତି। ଖାରକିଭ୍ରେ ଗୋଳାମାଡ଼ରେ ଆଜି ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍ ରାଜଧାନୀ କିବ୍ ଅକ୍ତିଆର କରିବା ଏବେ ରୁଷ୍ର ପ୍ରମୁଖ ଲକ୍ଷ୍ୟ ହୋଇଥିବାରୁ ଆଉ କିଛି ସପ୍ତାହ ମଧ୍ୟରେ କିବ୍ର କେନ୍ଦ୍ରାଞ୍ଚଳରେ ରୁଷ୍ ସେନା ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। କିବ୍ ନିକଟସ୍ଥ ବ୍ରୋଭାରୀ ସହରରେ ଅବସ୍ଥିତ ଏକ ବୋମା ଓ ବନ୍ଧୁକ ତିଆରି କାରଖାନାକୁ ରୁଷ୍ ଗତ ରାତିରେ କ୍ଷେପଣାସ୍ତ୍ର ମାଡ଼ କରି ନଷ୍ଟ କରିଦେଇଛି । ରୁଷ୍ କିବ୍ର ସାମରିକ କମାଣ୍ଡ୍ ସେଣ୍ଟରକୁ ଛାଡ଼ି ଅନ୍ୟ ସବୁ ସାମରିକ ପ୍ରତିଷ୍ଠାନକୁ ଧ୍ବଂସ କରିସାରିଲାଣି। ତେବେ କିବ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ ନିମନ୍ତେ ରୁଷ୍ ସେନା ପଦାତିକ ବାହିନୀ ପଠାଇବା ଏତେ ସହଜ ନୁହେଁ। ତେଣୁ ବିମାନ ଆକ୍ରମଣରେ କିବ୍କୁ ଛାରଖାର କରିବା ପରେ ହିଁ ରୁଷ୍ ସେନା କିବ୍ରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛି। ଏବେ ପୁଣିଥରେ ସମଗ୍ର କିବ୍ ଅଂଚଳ ୱାର୍ଜୋନ୍ ପାଲଟିଯାଇଥିବାରୁ ବହୁ ସଂଖ୍ୟାରେ ନାଗରିକ ମୃତାହତ ହେବା ଆଶଙ୍କା ରହିଛି।
ୟୁକ୍ରେନ୍ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତାରେ ରୁଷ୍ ସହ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ରଣନୀତି ବଦଳାଇଛନ୍ତି ଏବଂ ରୁଷ୍ ସେନା ଏବେ ପୁଣି କିବ୍ ଓ ଖାର୍କିଭ୍କୁ ଟାର୍ଗେଟ୍ କରୁଛି। ରୁଷ୍ର ଯୁଦ୍ଧପୋତ ମୋସ୍କଭା ୟୁକ୍ରେନ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ବୁଡ଼ି ଯିବାରୁ ରୁଷ୍ ୟୁକ୍ରେନ୍ରେ ଭୟାନକ ଆକ୍ରମଣ ଯୋଜନା କରିଛି । ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି କହିଛନ୍ତି, ରାଷ୍ଟ୍ରପତି ପୁଟିନ ୟୁକ୍ରେନ୍ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି ଏବଂ ଏହାକୁ ନାଟୋ ରାଷ୍ଟ୍ରମାନେ ଗମ୍ଭୀରତାର ସହ ନେବା ଉଚିତ। କିବ୍ ଛାଡ଼ିଥିବା ଲୋକେ କିବ୍କୁ ପୁଣି ଫେରିବାକୁ ଯୋଜନା କରୁଥିବାରୁ ଆଜି କର୍ତ୍ତୃପକ୍ଷ ଲୋକଙ୍କୁ ନ ଫେରିବା ପାଇଁ କହିଛନ୍ତି।
Follow Us