Image Courtesy of Al Jazeera
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧର ସର୍ବସମ୍ମତ ସମାଧାନ ଦିଗରେ କିବ୍ କୌଣସି ଗରୁତ୍ବପୂର୍ଣ୍ଣ ପ୍ରତିବଦ୍ଧତା ପ୍ରଦର୍ଶନ କରୁନାହିଁ ବୋଲି ଗତ ରାତିରେ (ଭାରତୀୟ ସମୟ) ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି।
‘ୟୁରୋପିଆନ୍ କାଉନ୍ସିଲ୍’ର ଅଧ୍ୟକ୍ଷ ଚାର୍ଲସ୍ ମାଇକେଲ୍ଙ୍କ ସହ ଫୋନ୍ରେ କଥାବର୍ତ୍ତା କରିବା ବେଳେ ପୁଟିନ୍ ୟୁକ୍ରେନ୍ ସହ ଚାଲିଥିବା ଆଲୋଚନା ପ୍ରସଙ୍ଗରେ କହିବା ବେଳେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ୟୁକ୍ରେନ୍ର ରୁଷ୍ର ପୂର୍ବ ଦାବିଗୁଡ଼ିକୁ ସ୍ବୀକାର କରୁ ବୋଲି ରୁଷ୍ ଉକ୍ତ ଆଲୋଚନାରେ କହି ଆସୁଛି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ସାଲିସ କରିବେ ବୋଲି ପ୍ରକାରାନ୍ତରେ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ‘ନାଟୋ’ ସାମରିକ ମେଣ୍ଟର ସଦସ୍ୟ ହେବ ନାହିଁ।
ସୂଚନାଯୋଗ୍ୟ, ୟୁକ୍ରେନ୍ ‘ନାଟୋ’ର ସଦସ୍ୟ ହେବା କଥାକୁ ରୁଷ୍ ତୀବ୍ର ବିରୋଧ କରୁଛି।
Image Courtesy of India Todayସେପଟେ ମଙ୍ଗଳବାର ଠାରୁ ରୁଷ୍ ଓ ୟୁକ୍ରେନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଶାନ୍ତି ଆଲୋଚନା ଚାଲିଛି। ୟୁକ୍ରେନୀୟ ସରକାରୀ ଅଧିକାରୀମାନଙ୍କର ଆଶା ଖୁବ୍ ଶୀଘ୍ର ଯୁଦ୍ଧର ଅବସାନ ଘଟିବ। ସେମାନେ କହୁଛନ୍ତି ଯେ, କିବ୍ରେ ବଳପୂର୍ବକ ନୂଆ ସରକାର ସ୍ଥାପନ କରିବା ପାଇଁ ରୁଷ୍ର ଉଦ୍ୟମ ବିଫଳ ହେବ।
ଏହାଛଡ଼ା, ପୋଲାଣ୍ଡ୍, ଚେକ୍ ସାଧାରଣତନ୍ତ୍ର ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀମାନେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କୁ ସାକ୍ଷାତ୍ କରିବା ପାଇଁ ଟ୍ରେନ୍ ଯୋଗେ କିବ୍ ଅଭିମୁଖେ ବାହାରିଛନ୍ତି।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ସଂକ୍ରାନ୍ତରେ ପ୍ରତ୍ୟକ୍ଷ ୟୁରୋପୀୟ ନେତାମାନଙ୍କ ସହିତ ଆଲୋଚନା କରିବା ପାଇଁ ଆସନ୍ତା ସପ୍ତାହରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ୟୁରୋପ ଗସ୍ତ କରିବେ ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ଜେନ୍ ସାକି ଗତକାଲି ଘୋଷଣା କରିଥିଲେ। ମାର୍ଚ ୨୪ ତାରିଖ ଦିନ ବାଇଡେନ୍ ‘ନାଟୋ’ ଏବଂ ୟୁରୋପୀୟ ନେତାମାନଙ୍କ ସହିତ ବ୍ରୁସେଲ୍ସ୍ରେ ବୈଠକ କରିବେ।
Follow Us