ମନ୍ଥର ନିଷ୍ପତ୍ତି ପାଇଁ ଟିକା ଅଭାବ: ଏପ୍ରିଲରେ ୩ଟି ସରକାରୀ କମ୍ପାନିକୁ ମିଳିଛି କୋଭାକ୍ସିନ ଉତ୍ପାଦନ ଅନୁମତି

ମନ୍ଥର ନିଷ୍ପତ୍ତି ପାଇଁ ଟିକା ଅଭାବ: ଏପ୍ରିଲରେ ୩ଟି ସରକାରୀ କମ୍ପାନିକୁ ମିଳିଛି କୋଭାକ୍ସିନ ଉତ୍ପାଦନ ଅନୁମତି

ନୂଆଦିଲ୍ଲୀ: ଦେଶରେ ଏବେ ଟିକାର ଘୋର ଅଭାବ ଦେଖାଦେଇଛି। କରୋନା ମହାମାରୀ ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଥିବା ବେଳେ ଲୋକେ ଟିକା ପାଇଁ ଅପେକ୍ଷା କରି ରହିଛନ୍ତି। କେନ୍ଦ୍ର ସରକାରଙ୍କ ବିଳମ୍ବିତ ନିଷ୍ପତ୍ତି ପାଇଁ ଭାରତକୁ ଆଜି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବୋଲି କୁହାଯାଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ବିଦେଶୀ ଟିକା ଉପରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଗତବର୍ଷ ଅକ୍ଟୋବରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ହାତ ମିଳାଇଥିଲେ। ଏଥିପାଇଁ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିକଟରେ ଟ୍ରିପ୍ସ ‌କୋହଳ କରିବା ପାଇଁ ଦାବି କରିଥିଲେ। ବିଶ୍ବ ବାଣିଜ୍ୟ ସଂଗଠନର ଟ୍ରିପ୍ସ ପରିଷଦ ନିକଟରେ ଭାରତ ପକ୍ଷରୁ ଦାବି କରାଯାଇଥିଲା ଯେ, ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କୁ ସୁଲଭ ମୂଲ୍ୟର ଟିକା ଯୋଗାଇ ଦେବା କ୍ଷେତ୍ରରେ ବୌଦ୍ଧିକ ସଂପତ୍ତି ଅଧିକାର ପ୍ରତିବନ୍ଧକ ସୃଷ୍ଟି କରିବ।

ତେଣୁ ବିଦେଶୀ ଟିକା ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ ଭାରତ ବିଶ୍ବ ବାଣିଜ୍ୟ ସଂଗଠନ ନିକଟରେ ଦାବି କରାଯାଇଥିଲା। ଅନ୍ୟପକ୍ଷରେ ଘରୋଇ ବଜାରରେ ଦେଶୀୟ ଟିକା କୋଭାକ୍ସିନର ଉତ୍ପାଦନ ପ୍ରଯୁକ୍ତି ୩ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ହସ୍ତାନ୍ତର କରିବା ଲାଗି ସରକାରଙ୍କୁ ୬ ମାସ ସମୟ ଲାଗିଗଲା। ୨୦୨୧ ଏପ୍ରିଲରେ ସରକାର ଆଇସିଏମଆର ଏବଂ ଭାରତ ବାୟୋଟେକ ପକ୍ଷରୁ ମିଳିତଭାବେ ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାର ପ୍ରଯୁକ୍ତି ହସ୍ତାନ୍ତର କରାଯାଇଛି। ଏପରିକି ଭାରତ ବାୟୋଟେକର ଟିକା ଉତ୍ପାଦନ କ୍ଷମତା ତୁରନ୍ତ ବଢ଼ାଇବା ଲାଗି ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ଭାରତରେ କରୋନା ସଂକ୍ରମଣ ସାଂଘାତିକ ବୃଦ୍ଧି ପାଇବା ପରେ ଏପ୍ରିଲ ମଧ୍ୟଭାଗରେ ମୋଦୀ ସରକାର ୩ ରାଷ୍ଟ୍ରାୟତ୍ତ କମ୍ପାନିକୁ ପ୍ରଯୁକ୍ତି ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ପରିଚାଳିତ ହଫକିନ କର୍ପୋରେସନ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ମାସିକ ୨ କୋଟି ଡୋଜ୍ ଟିକା ଉତ୍ପାଦନ କରିବ। ଏଥିସହିତ ନ୍ୟାସନାଲ ଡେରି ଡେଭଲପମେଣ୍ଟ ବୋର୍ଡ ଅଧୀନରେ ହାଇଦ୍ରାବାଦରେ ଥିବା ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ (ଆଇଆଇଏଲ) ଏବଂ ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ଅଧୀନରେ ବୁଲନ୍ଦସହରରେ ଥିବା ଭାରତ ଇମ୍ୟୁନୋଲୋଜିକାଲ ଆଣ୍ଡ ବାୟୋଲୋଜିକାଲ୍ସ ଲିମିଟେଡକୁ ଟିକା ଉତ୍ପାଦନ ପାଇଁ ଅନୁମତି ଦିଆଯାଇଛି। ଆସନ୍ତା ଅଗଷ୍ଟ ସେପ୍ଟେମ୍ବର ବେଳକୁ ସେମାନଙ୍କୁ ମାସିକ କୋଟିଏରୁ ଦେଢ଼ କୋଟି ଟିକା ଉତ୍ପାଦନ କରିବା ଲାଗି କୁହାଯାଇଛି। ସଂକ୍ରମଣ ବୃଦ୍ଧି ଆରମ୍ଭରୁ ହିଁ ଏ ଦିଗରେ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା ବୋଲି ବିରୋଧୀ ଦଳମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe