Image Courtesy of Reuters
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଅନୁଷ୍ଠିତ ୧୨ଶ କର୍ପସ୍ କମାଣ୍ଡର୍ସ୍ତରୀୟ ଆଲୋଚନା ଶନିବାର ସନ୍ଧ୍ୟା ୭.୩୦ରେ ଶେଷ ହୋଇଛି। ଲଦାଖର ପୂର୍ବ ସେକ୍ଟର୍ରେ ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ସାମରିକ ଅଚଳାବସ୍ଥାର ସମାଧାନ ନିମନ୍ତେ ପ୍ରାୟ୯ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଉଭୟ ପକ୍ଷ ଆଲୋଚନା କରିଥିଲେ ବୋଲି ସେନାସୂତ୍ରରୁ ସୂଚନା ମିଳିଛି।
ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଚୀନ୍ ପାର୍ଶ୍ବର ମୋଲଦୋରେ ଉକ୍ତ ବୈଠକ ବସିଥିଲା। ପୂର୍ବ ଲଦାଖର କେତେକ ବିବାଦୀୟ ଅଞ୍ଚଳରୁ ସୈନ୍ୟ ଅପସାରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଥିଲା ଏହି ଉଚ୍ଚସ୍ତରୀୟ ସାମରିକ ଆଲୋଚନାର ଉଦ୍ଦେଶ୍ୟ। ‘ହଟ୍ ସ୍ପ୍ରିଙ୍ଗ୍’ ଏବଂ ‘ଗୋଗ୍ରା ପୋଷ୍ଟ୍’ ମଧ୍ୟ ଏହି ବିବାଦୀୟ ଅଞ୍ଚଳ ଅନ୍ତର୍ଭୁକ୍ତ।
ପ୍ରାୟ ୩.୫ ମାସ ଅନ୍ତରରେ ଉପରୋକ୍ତ ସଦ୍ୟତମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ଏପ୍ରିଲ୍ ୯ ତାରିଖରେ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଚୁଶୂଲ ସୀମାନ୍ତବର୍ତ୍ତୀ ଭାରତ ସୀମା ମଧ୍ୟରେ ୧୧ଶ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା ଆୟୋଜନ ହୋଇଥିଲା ଏବଂ ତାହା ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିଲା।
Image Courtesy of One India Tamilଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ବାହାରେ ଚୀନ୍ର ୱାଙ୍ଗ୍ ୟିଙ୍କୁ ସାକ୍ଷାତ୍ କରି ଜୟଶଙ୍କର କହିଥିଲେ ଯେ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଅଞ୍ଚଳ ସ୍ଥିତାବସ୍ଥାରେ କୌଣସି ଏକତରଫା ପରିବର୍ତ୍ତନ ଭାରତ ପାଇଁ ଗ୍ରହଣୀୟ ନୁହେଁ। ପୂର୍ବ ଲଦାଖରେ ପୂର୍ଣ୍ଣରୂପେ ଶାନ୍ତି ଓ ସ୍ଥିରତା ଫେରିଲେ ଯାଇ ସାମଗ୍ରିକ ଭାବେ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିବ।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଏକ ସମୟରେ ଉଭୟ ପକ୍ଷ ଯଦି ସୈନ୍ୟ ପ୍ରତ୍ୟାହାର କରନ୍ତି, ତେବେ ଯାଇ ଭାରତ ଉତ୍ତେଜନାମୟ ପରିସ୍ଥିତି ହ୍ରାସ କରାଇବାକୁ ରାଜି ହେବ ବୋଲି ଶନିବାର ବୈଠକ ପୂର୍ବରୁ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ଏହା ବ୍ୟତିରେକେ, ପାରସ୍ପାରିକ ନିରାପତ୍ତା ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ୟବସ୍ଥା କରାଯିବା ଉଚିତ ବୋଲି ଭାରତ କହିଛି।
ସୂଚନାଯୋଗ୍ୟ, ପ୍ରାୟ ବର୍ଷେ ହେବ ଉଭୟ ଦେଶ ମଧ୍ୟରେ ସାମରିକ ଅଚଳାବସ୍ଥା ଲାଗି ରହିଛି। କିନ୍ତୁ, ବ୍ୟାପକ ସାମରିକ ଏବଂ ରାଜନୈତିକସ୍ତରୀୟ ଆଲୋଚନା ପରେ ଗତ ମାସରେ ସବୁଠୁ ବିବାଦୀୟ ପାଙ୍ଗୋଙ୍ଗ୍ ହ୍ରଦ ଅଞ୍ଚଳରୁ ଉଭୟ ପକ୍ଷ ସୈନ୍ୟ ଅପସାରଣ କରିଛନ୍ତି।
Follow Us