କାହା ନିୟନ୍ତ୍ରଣରେ ଲଦାଖ? ଚୀନ୍ ନା ଭାରତ??

Advertisment

ଚୀନ୍‌ ଗଣମାଧ୍ୟମରେ ସରଗରମ ଆଲୋଚନା

ଚୀନ୍‌ ଗଣମାଧ୍ୟମରେ ସରଗରମ ଆଲୋଚନା

କାହା ନିୟନ୍ତ୍ରଣରେ ଲଦାଖ? ଚୀନ୍  ନା ଭାରତ??

ନୂଆଦିଲ୍ଲୀ : ଲଦାଖ ସୀମାରେ ପ୍ରାୟ ବର୍ଷେ ହେଲା ମୁହାଁମୁହିଁ ସ୍ଥିତିରେ ଥିବା ଭାରତ ଓ ଚୀନ୍‌ ଗତ ୧୧ ତାରିଖ ସାମରିକ ଆଲୋଚନାରେ ସେନା ପ୍ରତ୍ୟାହାର ପାଇଁ ସହମତ ହେବା ଏବଂ ଗତବର୍ଷର ଗଲଵାନ୍‌ ସଂଘର୍ଷରେ ୪ ଜଣ ଚୀନୀ ସୈନିକଙ୍କ ମୃତ୍ୟୁକୁ ଚୀନ୍‌ ସେନାର ଦୈନିକ ମୁଖପତ୍ର ଖୋଲାଖୋଲି ସ୍ବୀକାର କରିବା ଘଟଣା ଏବେ ଚୀନ୍‌ରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଦେଶ ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବା କି ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ଆଗରୁ ଚୀନ୍‌ ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ଭିନ୍ନ ଏକ ଆଲୋଚନା ଛାଇଯାଇଛି। ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସୈନ୍ୟ ପ୍ରତ୍ୟାହାର କେତେ ପ୍ରଭାବୀ ରହିବ ଏବଂ ବିଶେଷ କରି ସଂପୃକ୍ତ ଇଲାକାରେ କେଉଁ ପକ୍ଷର କେତେ ପ୍ରଭାବ ରହିଛି ତାହା ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ନିଷ୍ପତ୍ତି ଦ୍ବାରା ଏକ ବଡ଼ ଧରଣର ସଂକଟକୁ ଟାଳିଦିଆଯାଇଛି ବୋଲି କେହି କେହି ଆଶ୍ବସ୍ତି ପ୍ରକାଶ କରିଥିବା ବେଳେ କେହି କେହି ଚୀନ୍‌ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଲଗାଇଛନ୍ତି। ଟିକେ ଶାନ୍ତି ପାଇଁ ଚୀନ୍‌ ଏତେ ବଡ଼ ଇଲାକା ସମର୍ପିଦେବା ଠିକ୍‌ ହୋଇନି, ଏଭଳି ରିହାତି ଅକଥନୀୟ, ରାଜିନାମା ଅନ୍ୟାୟ ଓ ଚୀନ୍‌ ପାଇଁ ଏହା ସ୍ବାର୍ଥପ୍ରତିକୂଳ ବୋଲି କେହି କେହି ସମାଲୋଚନା କରିଛନ୍ତି। ଏପରିକି ଭାରତ ଅପେକ୍ଷା ଚୀନ୍‌ ବେଶୀ ଦୂର ପଛକୁ ଘୁଞ୍ଚିଛି ଏବଂ ନିଜର ବେଶୀ ନିର୍ମାଣ ଭାଙ୍ଗିଛି ବୋଲି କେହି କେହି ଟିପ୍ପଣୀ କରିଛନ୍ତି। ଚୀନ୍‌ ଓ ଆମେରିକା ଭିତରେ ସମ୍ପର୍କରେ ସୁଧାର ଆସୁଥିବା ବେଳେ ଭାରତ ପ୍ରତି କାହିଁକି ଏପରି କୋହଳ ମନୋଭାବ ବୋଲି କେହି କେହି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe