ଲଖିମପୁର ଖେରି ମାମଲା: ଷ୍ଟାଟସ୍‌ ରିପୋର୍ଟ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ, ସାକ୍ଷୀଙ୍କ ସୁରକ୍ଷା ଓ ବୟାନ ରେକର୍ଡ ନେଇ ପ୍ରଶ୍ନ କଲେ

ୟୁପି ସରକାର ହେଳା କରୁଥିବା ଧାରଣାକୁ ଦୂର କରିବାକୁ କହିଲେ

'ଯେବେ ଆଉ ସୁଧାରିବାର ଆଶା ନଥିବ, ସେବେ ହିଁ ଫାଶୀ ଦିଆଯିବ' ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ

Image Courtesy of The Hindu

ନୂଆଦିଲ୍ଲୀ: ଲଖିମପୁର ଖେରି ଚାଷୀ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାର ନିର୍ଦ୍ଧାରିତ ସମୟ ଭିତରେ ଷ୍ଟାଟସ୍‌ ରିପୋର୍ଟ ଦେଇନଥିବାରୁ ଆଜି ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମାମଲାରେ ରାଜ୍ୟ ସରକାର ଦିନ ଗଡ଼ାଇଚାଲିଛନ୍ତି ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି, ତାହା ଦୂର କରିବାକୁ କୋର୍ଟ କହିଥିଲେ। ତୁରନ୍ତ ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ସହ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ଆଦେଶ ଦେବା ସହ ‘ଏହା ଏକ ଅସରନ୍ତି କାହାଣୀ ହେବା ଉଚିତ ନୁହେଁ’ ବୋଲି କହିଥିଲେ।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଅକ୍ଟୋବର ୩ରେ ୪ ଜଣ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତା’ ପରବର୍ତ୍ତୀ ହିଂସାରେ ଆଉ ୪ ଜଣ ହତ୍ୟାର ଶିକାର ହୋଇଥିଲେ। ଅକ୍ଟୋବର ୧୧ରେ ଆଶିଷଙ୍କୁ ଗିରଫ କରାଯାଇଥିଲା। ୮ ଜଣଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ କି କି ଅଭିଯୋଗରେ କେତେ ଲୋକଙ୍କୁ ଗିରଫ କରାଗଲାଣି ତା’ ଉପରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଆଦେଶ ଦେଇଥିଲେ।

ସରକାର ଏ ବାବଦରେ ଦାଖଲ କରିଥିବା ରିପୋର୍ଟରେ ୩୪ ସାକ୍ଷୀଙ୍କ ମଧ୍ୟରୁ ମାତ୍ର ୪ ଜଣ ସାକ୍ଷୀଙ୍କ ବୟାନ ଥିବାରୁ କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ଏବଂ ଏହାର ଦିନକ ପୂର୍ବରୁ ଚୂଡ଼ାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ ହେବା ଉଚିତ ବୋଲି ପ୍ରଧାନବିଚାରପତି ଏନ୍‌ଭି ରମଣା କହିଛନ୍ତି। ଅଧିକ ସାକ୍ଷୀଙ୍କଠାରୁ କାହିଁକି ବିବୃତି ନିଆଯାଇ ନାହିଁ ବୋଲି ମଧ୍ୟ ବିଚାରପତିମାନେ ପ୍ରଶ୍ନ କରିଛନ୍ତି। ସାକ୍ଷୀଙ୍କ ସୁରକ୍ଷା ଏବଂ ବୟାନ ରେକର୍ଡ ଜରୁରୀ ବୋଲି କୋର୍ଟ କହିଛନ୍ତି। ଏହାର ଉତ୍ତରରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ହରିଶ ସାଲଭେ କହିଥିଲେ ଯେ, ଏହି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe