Image Courtesy of Zee News
ନୂଆଦିଲ୍ଲୀ: ଡେଙ୍ଗୁରେ ଆକ୍ରାନ୍ତ ହେବାରୁ ଲଖିମ୍ପୁର ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରି ଜିଲ୍ଲା ଜେଲ୍ରେ ଥିବା ଆଶିଷଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଛନ୍ତି, ମଶା-ବାହିତ ରୋଗ ଡେଙ୍ଗୁଦ୍ୱାରା ସଙ୍କ୍ରମିତ ହୋଇଛନ୍ତି କି, ନାହିଁ ସୁନିଶ୍ଚିତ ହେବାକୁ ଆଶିଷଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।
ଅନ୍ୟ ଜଣେ ବରିଷ୍ଠ ଜେଲ୍ ଅଧିକାରୀ ମଧ୍ୟ କହିଛନ୍ତି ଯେ, ଡେଙ୍ଗୁ ବିଷୟରେ ସୁନିଶ୍ଚିତ ହେବାକୁ ଆଶିଷ ମିଶ୍ରାଙ୍କ ରକ୍ତ ନମୁନା ଲକ୍ଷ୍ନୌସ୍ଥିତ ଏକ ପରୀକ୍ଷାଗାରକୁ ପଠାଯାଇଛି।
ଏ ସଂକ୍ରାନ୍ତରେ ପଚରା ଯିବାରୁ ଲଖିମ୍ପୁର ଖେରି ଜିଲ୍ଲା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ପି. ପି. ସିଂହ କହିଛନ୍ତି, ଆଶିଷ ମିଶ୍ରଙ୍କୁ ଡେଙ୍ଗୁ ହୋଇଛି କି, ନାହିଁ ଆମେ ସୁନିଶ୍ଚିତ ନୋହୁଁ। ପରୀକ୍ଷା ନିମନ୍ତେ ଶୁକ୍ରବାର ଦିନ ତାଙ୍କ ରକ୍ତ ନମୁନା ପଠାଯାଇଛି। ରିପୋର୍ଟ ଆସିଲେ ବାସ୍ତବ କଥା ଜଣାପଡ଼ିବ।
Image Courtesy of The Times of Indiaକେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ତଥା ଆଶିଷ ମିଶ୍ରା ହେଉଛନ୍ତି ଲଖିମ୍ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ। ୪ଜଣ କୃଷକ ଏବଂ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ସମେତ ଏହି ଘଟଣାରେ ଅକ୍ଟୋବର ୩ ତାରିଖ ଦିନ ୮ଜଣଙ୍କର ମୃତ୍ୟୁ ଘଟିଥିଲା।
ଆଶିଷ ମିଶ୍ରାଙ୍କ ସମେତ ଏହି ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ପ୍ରାୟ ୧୩ ଜଣଙ୍କୁ ଗିରଫ କରାଯାଇଛି।
Follow Us