ଲଖିମପୁର ଖେରି ହିଂସା ମାମଲା: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ

୫ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ଲଖିମପୁର ଖେରି ହିଂସା ମାମଲା: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ

Live Law

ଲକ୍ଷ୍ନୌ: ଲଖିମପୁର ଖେରି ହିଂସା ମାମଲାରେ ଉତ୍ତର ପ୍ରଦେଶ ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଆଜି ପ୍ରାୟ ୫ ହଜାର ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ଲଖିମପୁରସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯାଇଥିବା ଉକ୍ତ ଅଭିଯୋଗଫର୍ଦ୍ଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଆଶିଷଙ୍କ ସମେତ ମୋଟ ୧୪ ଜଣଙ୍କୁ ଏଥିରେ ଅଭିଯୁକ୍ତ ରହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ଆଦି ଦଫା ଲଗାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୁଇଟି ତାଲା ପଡ଼ିଥିବା ଏକ ବିରାଟ ଟ୍ରଙ୍କରେ ଅଦାଲତକୁ ପୁଲିସ ଆଜି ଅଭିଯୋଗଫର୍ଦ୍ଦ ଆଣି ଦାଖଲ କରିଛି। ୧୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଶିଷଙ୍କ ସମେତ ୧୩ ଜଣ ଏବେ ଜେଲରେ ଥିବାବେଳେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ବୀରେନ୍ଦ୍ର କୁମାର ଶୁକ୍ଳା ନାମକ ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯାଇଛି। ସେ ଗିରଫ ହୋଇ ନଥିଲେ ମଧ୍ୟ ଏସଆଇଟି ତାଙ୍କୁ ନୋଟିସ ଜାରି କରିଛି। ସେ ଅଜୟ ମିଶ୍ରଙ୍କ ଦୂର ସଂପର୍କୀୟ ଏବଂ ବ୍ଲକ ପ୍ରମୁଖ ଅଛନ୍ତି। ଏଥିସହିତ ପୂର୍ବତନ ରାଜ୍ୟସଭା ସଦସ୍ୟ ଅଖିଳେଶ ଦାସଙ୍କ ପୁତୁରା ଅଙ୍କିତ ଦାସଙ୍କୁ ଅଭିଯୁକ୍ତ କରାଯାଇଛି।

ବରିଷ୍ଠ ତଦନ୍ତକାରୀ ଅଧିକାରୀ ଏସ ପି ଯାଦବ ଅଭିଯୋଗଫର୍ଦ୍ଦ ଦାଖଲ ସଂପର୍କରେ ସୂଚନା ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରିଥିବା କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରେ ବ୍ୟାପକ ହିଂସା ହୋଇଥିଲା। ଏହି ଘଟଣାରେ ୪ କୃଷକ, ୨ ଜଣ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗଫର୍ଦ୍ଦ ଦାଖଲ ହେଇଥିବାରୁ ବିଚାର ଶୀଘ୍ର ଆରମ୍ଭ ହେବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe