Image Courtesy of Zee News
ନୂଆଦିଲ୍ଲୀ: ଲଖିମ୍ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି।
ରବିବାର ଦିନ ଏ ସଂକ୍ରାନ୍ତରେ ବିବୃତି ଜାରି କରି ‘ସଂଯୁକ୍ତ କିଷାନ୍ ମୋର୍ଚା’ କହିଛି, ଲଖିମ୍ପୁର ଖେରି ହିଂସାକାଣ୍ଡର ନ୍ୟାୟ ବିଚାର ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଓ ଗିରଫ ଦାବି କରି ଅକ୍ଟୋବର ୧୮ ତାରିଖ ଦିନ ‘ଏସ୍କେଏମ୍’ ଦେଶବ୍ୟାପୀ ରେଳରୋକ କରିବ।
ରେଳବାଇ ସମ୍ପଦର କୌଣସି ପ୍ରକାର କ୍ଷତି ବା ନଷ୍ଟ ନ କରି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ‘ଏସ୍କେଏମ୍’ ଉକ୍ତ ବିବୃତିରେ ଉଲ୍ଲେଖ କରିଛି।
Image Courtesy of India.comକେନ୍ଦ୍ର ମନ୍ତ୍ରୀ ପରିଷଦ୍ରୁ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର କରାଯିବାର କାରଣ ଦର୍ଶାଇ ‘ଏସ୍କେଏମ୍’ କହିଛି ଯେ, କେନ୍ଦ୍ର ସରକାରରେ ଅଜୟ ମିଶ୍ରା ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବାରୁ ଏହି ମାମଲାର ନ୍ୟାୟ ବିଚାର ହୋଇପାରିବ ନାହିଁ।
ତାଙ୍କ ଭାଷଣରେ ସେ ହିନ୍ଦୁ ଓ ଶିଖ୍ମନାଙ୍କ ମଧ୍ୟରେ ଘୃଣା, ଶତ୍ରୁତା ଏବଂ ସାମ୍ପ୍ରଦାୟିକ ଅସହବସ୍ଥାନ ଭଳି କଥାକୁ ଉତ୍ସାହ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀମାନଙ୍କ ଉପରେ ତାଙ୍କ ଗାଡ଼ି ଚଢ଼ାଯାଇଛି। ସେ ତାଙ୍କ ପୁଅକୁ ଲୁଚାଇ ରଖିଥିଲେ ଏବଂ ପୁଲିସ ଆଶିଷ ମିଶ୍ରଙ୍କୁ ସମନ ଦେବାବେଳେ ସେ ଚକ୍ରାନ୍ତ କରୁଥିଲେ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଲଖିମ୍ପୁର ହିଂସାକାଣ୍ଡରେ ୪ଜଣ କୃଷକଙ୍କ ସମେତ ପ୍ରାୟ ୮ଜଣ ଲୋକ ପ୍ରାଣ ହରାଇଥିଲେ।
Follow Us