୧୦୦ କିଲୋମିଟର୍‌ ଧାଁଦଉଡ଼ ପରେ ଲାଲ୍‌କିଲ୍ଲା ହିଂସା ଘଟଣାର ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ସୁଖଦେବ ସିଂହଙ୍କୁ ଗିରଫ କଲା ପୁଲିସ

୧୦୦ କିଲୋମିଟର୍‌ ଧାଁଦଉଡ଼ ପରେ ଲାଲ୍‌କିଲ୍ଲା ହିଂସା ଘଟଣାର ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ସୁଖଦେବ ସିଂହଙ୍କୁ ଗିରଫ କଲା ପୁଲିସ

Image Courtesy of Zee News

ନୂଆଦିଲ୍ଲୀ: ଜାନୁଆରି ୨୬ ତାରିଖରେ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଲାଲ୍‌କିଲ୍ଲାରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ‘ମୋଷ୍ଟ୍‍ ଓ୍ଵାଣ୍ଡେଡ୍‌’ ଅଭିଯୁକ୍ତଙ୍କୁ ରବିବାର ଦିନ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଖଦେବ ସିଂହ। ତାଙ୍କ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ପ୍ରାୟ ୧୦୦ କିଲୋମିଟର୍‌ ଧାଁଦଉଡ଼ କରିବା ପରେ ପୁଲିସ ତାଙ୍କୁ ଚଣ୍ଡିଗଡ଼ରୁ ଗିରଫ କରିଛି। ଗତ ୧୦ ଦିନ ହେବ ଦିଲ୍ଲୀ ପୁଲିସ ତାଙ୍କୁ ଖୋଜୁଥିଲା।

publive-image Image Courtesy of Zee News

ପୂର୍ବରୁ ତାଙ୍କୁ ଗିରଫ କରିବା ଲାଗି ପୁଲିସ କରିଥିବା ଦୁଇଟି ଉଦ୍ୟମ ବିଫଳ ହୋଇଥିଲା। ପ୍ରଥମ ଗିରଫ ଉଦ୍ୟମ ହୋଇଥିଲା ହରିୟାଣାସ୍ଥିତ କର୍ଣ୍ଣାଲ୍‌ରେ ଥିବା ତାଙ୍କ ଘରେ। ଦ୍ୱିତୀୟ ଉଦ୍ୟମ ହୋଇଥିଲା ଚଣ୍ଡିଗଡ଼ରୁ ପ୍ରାପ୍ତ ଗୁପ୍ତ ସୂଚନା ଆଧାରରେ। କିନ୍ତୁ, କିଛି ଦିନ ପରେ ଅନ୍ୟ ଏକ ଗୁପ୍ତ ସୂଚନା ଆଧାରରେ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଚଣ୍ଡିଗଡ଼ର ସେଣ୍ଟ୍ରା ମଲ୍‌ ନିକଟରେ ଅବସ୍ଥାନ କରୁଛନ୍ତି। ସେଠାରୁ ତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌କୁ ଆଣାଯାଇଛି। ତାଙ୍କୁ ଆଜି ଅଦାଲତରେ ହାଜର କରାଯିବ।

ସରକାରୀ କର୍ତ୍ତୃପକ୍ଷମାନଙ୍କ ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ଲାଲ୍‌କିଲ୍ଲା ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩୮ଟି ଏତଲା ରୁଜୁ ହେବା ସହ ୧୨୬ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ବ୍ୟତିରେକେ, ପୁଲିସ ଆହୁରି ୭୦ରୁ ଅଧିକ ସନ୍ଦିଗ୍ଧ ମନେହେଉଥିବା ବ୍ୟକ୍ତିଙ୍କ ଚିତ୍ର ସଂଗ୍ରହକରି ସେମାନଙ୍କ ସଂକ୍ରାନ୍ତରେ ଅଧିକ ସୂଚନା ଯୋଗାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe