Image Source-live hindustan
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୦୧୭ରୁ ଜେଲ୍ରେ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସାଢ଼େ ୩ ବର୍ଷ ପରେ ଜେଲ୍ରୁ ଖଲାସ ହୋଇଛନ୍ତି। ଗତକାଲି ଜେଲ୍ରୁ ଖଲାସ ହେବା ସଂକ୍ରାନ୍ତ ପତ୍ର ଦିଲ୍ଲୀ ଏମ୍ସକୁ ପଠାଇ ଦିଆଯାଇଥିଲା। ଲାଲୁ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଏବଂ ଆଗକୁ ମଧ୍ୟ ସେଠାରେ ଚିକିତ୍ସା ଜାରି ରହିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ଲାଲୁ ଜେଲ୍ରୁ ମୁକ୍ତି ପାଇବା ପରେ ରାଜ୍ୟସଭା ସାଂସଦ ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଦିଲ୍ଲୀ ସ୍ଥିତି ସରକାରୀ ବାସଭବନରେ ରହିବା ପାଇଁ ପୂରା ବ୍ୟବସ୍ଥା ହୋଇଥିଲା। ତେବେ ବର୍ତ୍ତମାନ ସ୍ଥିତିରେ ଏମ୍ସରୁ ଲାଲୁ ସ୍ଥାନାନ୍ତର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି।
ଦିଲ୍ଲୀ ଏମ୍ସରେ ଚିକିତ୍ସା ବ୍ୟବସ୍ଥା ଅତି ଉତ୍ତମ ଥିବାରୁ ସେ ସେଠାରେ ହିଁ ରହିବା ସବୁ ଦିଗରୁ ଭଲ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଲାଲୁ ପାଟନା ଫେରିଲେ ସେଠାରେ ସମର୍ଥକଙ୍କ ଭିଡ଼ ମଧ୍ୟ ତାଙ୍କ ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ଲାଲୁଙ୍କୁ ଏମ୍ସରେ ଭେଟିବା କ୍ଷେତ୍ରରେ ମଧ୍ୟ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ସୂଚନାଯୋଗ୍ୟ ଲାଲୁଙ୍କୁ ୧୮ ଏପ୍ରିଲ୍ରେ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ ମିଳିଥିଲା।
Follow Us