ଗୋଟିଏ ରାତିରେ ୨ଟି ଘଟଣା: ମସ୍କାଟରେ ଏୟାର ଇଣ୍ଡିଆ ବିମାନ ଏବଂ କରାଚୀରେ ଇଣ୍ଡିଗୋ ବିମାନର ଅବତରଣ

Advertisment
ଦିଲ୍ଲୀ-ଦେଓଘର ବିମାନରେ ବୋମା ଗୁଜବ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ  

ହାଇଦ୍ରାବାଦ : ଶନିବାର-ରବିବାର ମଧ୍ୟରାତ୍ରରେ ଭାରତର ଦୁଇଟି ଅନ୍ତର୍ଜାତୀୟ ବିମାନ ବୈଷୟିକ ତ୍ରୁଟି ଯୋଗୁଁ ତୃତୀୟ ଦେଶରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ଏଥିରେ ଗୋଟିଏ ଇଣ୍ଡିଗୋର ଓ ଅନ୍ୟଟି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହାର ତଦନ୍ତ କରାଯାଉଛି।

publive-image

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୋଇଂ ୭୩୭ (ଭିଟି-ଏଏକ୍ସଏକ୍ସ) ବିମାନ କାଲିକଟରୁ ଶନିବାର ରାତି ୧୧ଟା ୬ରେ ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ କେବିନ ଭିତରେ କିଛି ପୋଡ଼ା ଗନ୍ଧ ଆସିଥିଲା। ପରୀକ୍ଷା କରିବା ପରେ କିଛି ନିଆଁ କି ଧୂଆଁ ଦେଖିବାକୁ ମିଳି ନ ଥିଲା। ତଥାପି ପାଇଲଟ ନିରାପତ୍ତାମୂଳକ ପଦକ୍ଷେପ ସ୍ବରୂପ ତାକୁ ମସ୍କାଟରେ ଅବତରଣ କରାଇଥିଲେ। ସେହିପରି ଶାରଜାହରୁ ହାଇଦ୍ରାବାଦ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୈଷୟିକ ତ୍ରୁଟି ଯୋଗୁ ମଝିବାଟରୁ ଗତକାଲି ରାତିରେ କରାଚୀ ଆଡ଼େ ମୁହାଁଇବାକୁ ବାଧ୍ୟ ହୋଇଛି। ଶନିବାର ରାତି ୧୧ଟା ୨ରେ ଏହା ଶାରଜାହରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ କରାଚୀରେ ରବିବାର ରାତି ୨ଟା ୧୫ରେ ଅବତରଣ କରିଛି। ଏକ ଭାରତୀୟ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଚୀରେ ଅବତରଣ କରିବା ହେଉଛି ଏହା ଦୁଇସପ୍ତାହରେ ଦ୍ବିତୀୟ ଘଟଣା। ଇଣ୍ଡିଗୋ ଆଉ ଏକ ବିମାନ କରାଚୀ ପଠାଇ ସେଠାରୁ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳ ହାଇଦ୍ରାବାଦରେ ପହଞ୍ଚାଇବାର ବ୍ୟବସ୍ଥା କରୁଛି।

ଇଣ୍ଡିଗୋ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପାଇଲଟ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାରୁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଏହାକୁ କରାଚୀରେ ଅବତରଣ କରାଇବାକୁ ବାଧ୍ୟ ହୋଇଛନ୍ତି। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି। ଚଳିତ ମାସରେ ଏକ ସ୍ପାଇସ୍‌ଜେଟ୍ ବିମାନ ଦିଲ୍ଲୀରୁ ଦୁବାଇ ଯାଉଥିବା ବେଳେ ଅନୁରୂପ ବୈଷୟିକ ତ୍ରୁଟି କାରଣରୁ କରାଚୀରେ ଅବତରଣ କରିଥିଲା। ସେଥିରେ ୧୫୦ ଯାତ୍ରୀ ଥିଲେ ଓ ସମସ୍ତ ଯାତ୍ରୀ ନିରାପଦ ଥିଲେ। ତେବେ ବାରମ୍ବାର ବିମାନରେ ଏ ପ୍ରକାର ତ୍ରୁଟି ଦେଖାଯାଉଥିବାରୁ ଡିଜିସିଏ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe