ୱାୟନାଡ: କେରଳର ୱାୟନାଡ ଜିଲ୍ଲାର ମେପ୍ପାଡି ନିକଟ ପାହାଡ ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ଶହ ଶହ ଲୋକ ଫସି ରହିଛନ୍ତି। ଏଥି ସହିତ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୯୩ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୧୨୮ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା କୁହାଯାଉଛି।
ମଙ୍ଗଳବାର ସକାଳେ ୱାୟନାଡ ଜିଲ୍ଲାର ଉଚ୍ଚ ଉଚ୍ଚତା ବିଶିଷ୍ଟ ଗ୍ରାମରେ ଭୂସ୍ଖଳନ ପରେ ଲୋକମାନେ ଆବର୍ଜନା ଗଦା ମଧ୍ୟରେ ଫସି ରହିଥିବବା ଖବର ମିଳିଥିଲା। ଭୂସ୍ଖଳନରେ ବହୁ ଘର ନଷ୍ଟ ହୋଇ ଯାଇଛି।
ଫସି ରହିଥିବା ଲୋକେ ଆର୍ତ୍ତଚିତ୍କାର କରି ରକ୍ଷାକର ରକ୍ଷାକର କହୁଛନ୍ତି। ବହୁ ଲୋକ ଜୀବନ ରକ୍ଷା ପାଇଁ ବିକଳରେ କାନ୍ଦୁଛନ୍ତି। ଲୋକ ନିଜ ଘରେ ଫସି ରହିଛନ୍ତି। ସେଠାକୁ ଉଦ୍ଧାରକାରୀ ଦଳ ଯିବାର କୌଣସି ଉପାୟ ନାହିଁ। ଯୋଗାଯୋଗ ଅବସ୍ଥା ଖରାପ ରହିଛି। ବ୍ରିଜ୍ ଧୋଇ ହୋଇଯାଇଛି ଏବଂ ରାସ୍ତା ଜଳମଗ୍ନ ହୋଇଛି।
ଚୁରାଲମାଲା ସହରର ଜଣେ ମହିଳା କହିଛନ୍ତି ଯେ ତାଙ୍କ ପରିବାରର ଜଣେ ସଦସ୍ୟ ଧ୍ୱଂସାବଶେଷରେ ଫସି ରହିଛନ୍ତି । ତାଙ୍କୁ ସେଠାରୁ ବାହାର କରାଯାଇପାରୁ ନାହିଁ। ଲୁହଭରା ଆଖିରେ ସେ କେବଳ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି। ବହୁ ପରିବାର ସେମାନଙ୍କ ନିଖୋଜ ହୋଇଥିବା ପ୍ରିୟ ପରିଜନ ଜୀବିତ ଅଛନ୍ତି କି ନାହିଁ ତାହା ଜାଣି ନାହାନ୍ତି।
ଉଦ୍ଧାର କାର୍ଯ୍ୟରେ ୧୦ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ, ୨୦୦ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ,୩ ଏନଡିଆରଏଫ ଦଳ କାର୍ଯ୍ୟ ନିୟୋଜିତ ଅଛନ୍ତି। ପ୍ରତିରକ୍ଷା ସୁରକ୍ଷା ପୁଲିସ୍ର ଟିମ୍ ଏବଂ ନୌସେନାର ଏକ ନଦୀ କ୍ରସିଂ ଦଳ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।
Follow Us