ଆମେରିକାରେ ଗଣହତ୍ୟା: ୫୮ ମୃତ

ଲାସ୍‌ ଭେଗାସ୍‌ ସଂଗୀତ କାର୍ଯ୍ୟକ୍ରମରେ ଗୁଳିବର୍ଷା, ୫୦୦ରୁ ଊର୍ଦ୍ଧ୍ୱ ଆହତ

ଆମେରିକାରେ ଗଣହତ୍ୟା: ୫୮ ମୃତ

ଭେଗାସ : ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ଖ୍ୟାତ ଆମେରିକାର ଲାସ୍‌ ଭେଗାସ ସହର ସୋମବାର ରକ୍ତରଂଜିତ ହୋଇଉଠିଛି। ଏକ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୨ ହଜାରରୁ ଅଧିକ ଲୋକଙ୍କ ଉପରେ ହୋଇଛି ଆଖିବୁଜା ଗୁଳିବର୍ଷା। ନିକଟସ୍ଥ ଏକ ନଭଶ୍ଚୁମ୍ଭୀ ହୋଟେଲର ୩୨ ମହଲା ଉପରୁ ଜଣେ ଆତତାୟୀ ଅତ୍ୟାଧୁନିକ ଅଟୋମେଟିକ ରାଇଫଲ୍‌ରୁ ଗୁଳିବର୍ଷା କରିବା ଫଳରେ ଅନ୍ୟୂନ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଗୁଳିମାଡ଼ ଓ ଧାଁ ଦଉଡ଼ ଜନିତ ଦଳାଚକଟା ଫଳରେ ଆଉ ୫୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

ଏହି ଗୁଳିକାଣ୍ଡ ଓ ଗଣହତ୍ୟା ଆମେରିକାରେ ଏ ପର୍ଯ୍ୟନ୍ତ ଘଟିଥିବା ସବୁ ଗୁଳିକାଣ୍ଡଠାରୁ ଅଧିକ ଜଘନ୍ୟ ବୋଲି କୁହାଯାଉଛି। କେବଳ ଜଣେ ବ୍ୟକ୍ତି ଏହି ଗୁଳିକାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି। ଗୁଳିକାଣ୍ଡର ୭୨ ମିନିଟ୍‌ ମଧ୍ୟରେ ପୁଲିସ ଆତତାୟୀର ହୋଟେଲ ରୁମ୍‌ରେ ପଶିଥିଲେ ମଧ୍ୟ ସେଠାରୁ ତା’ ମୃତଦେହ ପାଇଛି। ପୁଲିସ ତା’କୁ ଧରିବା ପୂର୍ବରୁ ସେ ନିଜେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା କିଛି ନ୍ୟୁଜ୍‌ ଚାନେଲ୍‌ ଖବର ପ୍ରସାରଣ କରୁଥିବା ବେଳେ ପୁଲିସ ଗୁଳିରେ ସେ ମରିଥିବା କେତେକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସି ପ୍ରକାଶ କରିଛନ୍ତି।    ତେବେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ହୋଟେଲରୁ ଗୁଳିଚାଳନା କରିଥିବା ୬୪ ବର୍ଷୀୟ ଷ୍ଟିଫେନ୍‌ ପେଡକ୍‌ କିଛି ଦିନ ତଳେ ଏହି ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ ଓ ଗୋପନରେ ସଂଗଠନ ପାଇଁ କାମ କରୁଥିଲେ ବୋଲି ଆଇଏସ୍‌ ପକ୍ଷରୁ ଆଜି କୁହାଯାଇଛି।

ଅନ୍ୟପକ୍ଷରେ ଲାସ୍‌ ଭେଗାସ୍‌ ପୁଲିସ ଏହାକୁ ଖଣ୍ଡନ କରିଛି। ଆତତାୟୀର ହୋଟେଲ ରୁମ୍‌ ଓ ଲାସ୍‌ ଭେଗାସ୍‌ସ୍ଥିତ ବାସଭବନ ଖାନତଲାସ କରାଯାଇଛି। ସେଠାରୁ କିଛି ଆପତ୍ତିଜନକ ତଥ୍ୟ ମିଳିନାହିଁ। ପୂର୍ବରୁ ପେଡକ୍‌ କୌଣସି ଅପରାଧ କାର୍ଯ୍ୟକଳାପ ସହ ସଂପୃକ୍ତ ନ ଥଲେ କି ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ନେଇ ତାଙ୍କ ଘରୁ କିଛି ତଥ୍ୟ ପ୍ରମାଣ ମିଳିନାହିଁ। ତେବେ ତାଙ୍କର ପାଇଲଟ୍‌ ଲାଇସେନ୍ସ ସହ ଏକ ସିଙ୍ଗଲ୍‌ ଇଞ୍ଜିନ୍‌ ବିଶିଷ୍ଟ ବିମାନ ଥିବା ସୂଚନା ମିଳିଛି। ଜଣେ ଶିକାରପ୍ରିୟ ଓ ଜୁଆଖୋର ବ୍ୟକ୍ତି ଭାବେ ସେ ପରିଚିତ ଥିଲେ।   ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ  ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏଭଳି ଆକ୍ରମଣ ଅତି ବୀଭତ୍ସ ଓ ଏହା ସଇତାନର କାର୍ଯ୍ୟ। ଏଭଳି ସଙ୍କଟ ସମୟରେ ଦେଶବାସୀ ସର୍ବଦା ଏକଜୁଟ୍‌ ରହିଛନ୍ତି ଏବଂ କୌଣସି ଶକ୍ତି ଆମେରିକାକୁ ଦୋହଲାଇ ପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି।

ଏହି ଆକ୍ରମଣ ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବ୍ରିଟେନ୍‌ ସମେତ ବିଭିନ୍ନ ରାଷ୍ଟ୍ର ଏହାକୁ ନିନ୍ଦା କରିଛନ୍ତି।  ସେପଟେ ଲାସ ଭେଗାସ୍‌ ବାସିନ୍ଦା ଷ୍ଟିଫେନ୍‌ ସଂପର୍କରେ ବ୍ୟାପକ ଖୋଳତାଡ଼ ଜାରି ରହିଛି। ଏହି ମାମଲାରେ ଜଣେ ଏସୀୟ ମହିଳା ମାରିଲୋ ଡେନ୍‌ଲିଙ୍କୁ ମଧ୍ୟ ଅଟକ ରଖି ଜେରା କରାଯାଉଛି। ଷ୍ଟିଫେନ୍‌ ସହିତ ଏହି ମହିଳାଙ୍କ ଘନିଷ୍ଠତା ରହିଛି ଓ ସେମାନେ ଲିଭ୍‌-ଇନ୍‌-ରିଲେସନ୍‌ରେ ଥିଲେ। ମାରିଲୋ ସ୍ଥାନୀୟ ଏକ କ୍ୟାସିନୋରେ କାମ କରୁଥିଲେ। ମାତ୍ର ଗୁଳିକାଣ୍ଡରେ ତାଙ୍କ ସଂପୃକ୍ତି ନେଇ ତଦନ୍ତରୁ କିଛି ତଥ୍ୟ ମିଳିପାରିନି ବୋଲି ପୁଲିସ କହିଛି।  ପୁଲିସ ସୂତ୍ର ଅନୁସାରେ ଲାସ୍‌ ଭେଗାସରେ ବାର୍ଷିକ ଫସଲ ଅମଳ ପର୍ବ ଉପଲକ୍ଷେ ଏହି ସଂଗୀତ ମହୋତ୍ସବ ତିନି ଦିନ ଧରି ଚାଲିଥିଲା ଏବଂ ରବିବାର ତାହାର ଅନ୍ତିମ ଦିବସ ଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୨୨ ହଜାର  ଲୋକଙ୍କ ସମାଗମ ହୋଇଥିଲା। ପ୍ରସିଦ୍ଧ କଳାକାର ଏରିକ୍‌ ଚର୍ଚ୍ଚ, ସୋମ୍‌ ହଣ୍ଟ ଏବଂ ଜେସନ୍‌ ଆଲ୍‌ଡିନ୍‌ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ରବିବାର ରାତି ପ୍ରାୟ ୧୦ଟା ୦୫ ମିନିଟ୍‌ରେ ଜେସନ୍‌ ଆଲ୍‌ଡିନ୍‌ ସଂଗୀତ ପରିବେଷଣ କରୁଥିବା ବେଳେ ରାସ୍ତା ସେପଟେ ଥିବା ୪୦ ମହଲା ବିଶିଷ୍ଟ ‘ମାଣ୍ଡାଲେ ବେ ହୋଟେଲ’ର ୩୨ ମହଲାରୁ ହୋଇଥିଲା ଗୁଳିବର୍ଷା।

କେହି କିଛି ବୁଝିବା ଆଗରୁ ଟଳି ପଡ଼ିଥିଲେ ବହୁସଂଖ୍ୟକ ଲୋକ। କିଛି ମୁହୂର୍ତ୍ତ ଅଟକି ପୁଣି ହୋଇଥିଲା ଗୁଳିବର୍ଷା।  ଚାରିଆଡ଼ୁ ଚିତ୍କାର ଶୁଭିଥିଲା ଏବଂ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା। ସୁମଧୁର ସଂଗୀତ ବଦଳରେ ଶୁଣିବାକୁ ମିଳିଥିଲା କେବଳ ଆର୍ତ୍ତ ଚିତ୍କାର। ମାତ୍ର କିଛି ମିନି୍‌ଟ ମଧ୍ୟରେ ସେଠାରେ ରକ୍ତର ବନ୍ୟା ଛୁଟିଥିଲା। ଲୋକେ ଗୁଳିମାଡ଼ ଖାଇ ଟଳି ପଡ଼ୁଥିବା ବେଳେ ଜୀବନ ବିକଳରେ ପଳାଇ ଯିବା ବେଳକୁ ଦଳାଚଳକଟା ମଧ୍ୟ ଆରମ୍ଭ ହୋଇଯାଇଥିଲା।   ‘ମାଣ୍ଡାଲେ ବେ ହୋଟେଲ’ର ୩୨ ମହଲାରୁ  ଆକ୍ରମଣକାରୀ ସ୍ଥାନ ପରିବର୍ତ୍ତନ କରି ତୁହାକୁ ତୁହା ସ୍ୱୟଂଚାଳିତ ରାଇଫଲରୁ ଗୁଳିମାଡ଼ କରୁଥିଲା।  ପ୍ରଥମେ ଆକ୍ରମଣକାରୀ ସୁରକ୍ଷା କର୍ମୀଙ୍କ ଭିଡ଼ ଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା।  ଏହା ପରେ ସେ ଆଖିବୁଜା ଲୋକଙ୍କ ଉପରେ ଗୁଳିବର୍ଷା କରିଥିଲା। ୨୨ ମିନିଟ୍‌ ପର୍ଯ୍ୟନ୍ତ ପ୍ରାୟ ହଜାରେରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲା ଆତତାୟୀ। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ବି ୭୨ ମିନିଟ୍‌ ପରେ ପହଞ୍ଚି ଯାଇଥିଲା ଆତତାୟୀର ହୋଟେଲ ରୁମ୍‌ରେ। ମାତ୍ର ସେତେବେଳକୁ ପେଡକ୍‌ ନିଜକୁ ଗୁଳି କରି ସାରିଥିଲା।     ତେବେ ଏହି ଘଟଣାରେ ସମସ୍ତ କଳାକାର ସୁରକ୍ଷିତ ଥିବାବେଳେ ୨ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ୟୁନିଭର୍ସିଟି ମେଡିକାଲ ସେଣ୍ଟର ହସ୍ପିଟାଲର ପ୍ରବକ୍ତା କହିଛନ୍ତି ଯେ ୨୦୦ରୁ ଅଧିକ ଗୁଳିମାଡ଼ ଆହତଙ୍କ ମଧ୍ୟରୁ ପ୍ରାୟ ୨୨ ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ତେବେ ମୃତକଙ୍କ ମଧ୍ୟରେ କେହି ଭାରତୀୟ ନଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଭାରତୀୟ ନାହାନ୍ତିଲାସ୍‌ ଭେଗାସ୍‌ ଗୁଳିକାଣ୍ଡରେ କେହି ଭାରତୀୟ ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସୋମବାର ରାତି ସୁଦ୍ଧା ଯେଉଁ ମୃତକମାନଙ୍କ ପରିଚୟ ମିଳିଛି ସେମାନଙ୍କ ମଧ୍ୟରେ କେହି ଭାରତୀୟ ନାହାନ୍ତି। ଆମେରିକାରେ ସରକାରୀ ଭାବେ ସବୁ ମୃତକଙ୍କ ତାଲିକା ପ୍ରକାଶ ପାଇ ନଥିଲେ ମଧ୍ୟ ସୋସିଆଲ ମିଡିଆରେ କେତେକଙ୍କ ବିଷୟରେ ସୂଚନା ଦିଆଯାଇଛି। ତେବେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଥିଲେ ବୋଲି ଜଣାପଡ଼ିଛି। ୨୯ ବର୍ଷୀୟ ସନି ମେଲ୍‌ଟନ୍‌ ନାମକ ଏହି ଯୁବକ ଗୁଳିବର୍ଷା ବେଳେ ନିଜ ପତ୍ନୀଙ୍କ ଉପରେ ଶୋଇ ପଡ଼ିଥିଲେ। ଫଳରେ ତାଙ୍କ ଶରୀରରେ ଗୁଳି ବାଜିଥିଲା ଓ ପତ୍ନୀ ବଞ୍ଚି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe