Image Courtesy: Mumbai Mirror
ନୂଆଦିଲ୍ଲୀ/ ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେଇ ଦିଆଯାଇଥିବା ଚିଠି ସଂପର୍କରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଆଜି (ସୋମବାର) ଜେରା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗାୟକ ସିଦ୍ଧୁ ମୁସ୍ୱାଲାଙ୍କ ହତ୍ୟା ମାମଲାରେ ପ୍ରମୁଖ ସନ୍ଦିଗ୍ଧ ଥାଇ ଏବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ବଲିଉଡ୍ ଅଭିନେତା ସଲମାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ବାବଦରେ ପୁଲିସ ଜେରା କରିଥିଲା।
ରିପୋର୍ଟରୁ ପ୍ରକାଶ ଅଭିନେତା ସଲମାନଙ୍କୁ ସମ୍ବୋଧିତ କରି ଲେଖା ଯାଇଥିବା ଧମକପୂର୍ଣ୍ଣ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା, ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଆଦ୍ୟାକ୍ଷରକୁ ସୂଚାଉଥିଲା। ଜୁନ୍ ୫ ତାରିଖରେ ସଲମାନଙ୍କୁ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବା ପାଇଁ ଏହି ଧମକପୂର୍ଣ୍ଣ ପତ୍ର ପଠା ଯାଇଥିଲା।
Image Courtesy: Mumbai Mirrorହିନ୍ଦୀ ଭାଷାରେ ଲେଖା ଯାଇଥିବା ଏହି ଚିଠିରେ କୁହା ଯାଇଥିଲା ଯେ ଉଭୟ ସଲମାନ୍ ଖାନ ଏବଂ ତାଙ୍କ ବାପା ସଲିମ୍ ଖାନ୍ ଖୁବ୍ ଶୀଘ୍ର ନିହତ ଗାୟକ ସିଦ୍ଧୁ ମୁସୱାଲା (ତେରା ମୁସାୱାଲା ବାନା ଡେଙ୍ଗେ)ଙ୍କ ପରି ସମାନ ଭାଗ୍ୟକୁ ଭେଟିବେ ବୋଲି ପୁଲିସ ନାମ ଗୋପନ ରଖିବା ସର୍ତ୍ତରେ କହିଛି।
ଏହା ପୂର୍ବରୁ ମହାରାଷ୍ଟ୍ର ଗୃହ ବିଭାଗକୁ ଏହି ଧମକପୂର୍ଣ୍ଣ ପତ୍ର ମିଳିବା ପରେ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରିଥିଲା। ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ’ଧମକ ପତ୍ର’ ପଠାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ରବିବାର ଦିନ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି।
ପୁଲିସ ସୂଚନା ଅନୁଯାୟୀ, ସଲିମ ଖାନ ରବିବାର ସକାଳେ ଜଗିଂ କରିବା ପରେ ଦୈନିକ ବସୁଥିବା ଏକ ବେଞ୍ଚରେ ବସିଥିବା ବେଳେ ଏହି ଚିଠି ପାଇଥିଲେ। ସେ ସକାଳ ପ୍ରାୟ ୭.୩୦ ସମୟରେ ଏହି ଚିଠି ପାଇଥିଲେ। ପୁଲିସ କହିଛି ଯେ ରବିବାର ଦିନ ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ନିକଟରେ ଏହି ଚିଠି ମିଳିଥିଲା।
Follow Us