ସେବାଗ୍ରାମରେ ଗଛକଟାକୁ ଗାନ୍ଧୀ ପରିବାର ସଦସ୍ୟଙ୍କ ବିରୋଧ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରତିବାଦ ଜଣାଇଲେ

ସେବାଗ୍ରାମରେ ଗଛକଟାକୁ ଗାନ୍ଧୀ ପରିବାର ସଦସ୍ୟଙ୍କ ବିରୋଧ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରତିବାଦ ଜଣାଇଲେ

ନୂଆଦିଲ୍ଲୀ: ଗୁଜରାଟର ସାବରମତୀ ପରେ ମହାରାଷ୍ଟ୍ରର ସେବାଗ୍ରାମ ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅନ୍ୟତମ ପ୍ରିୟ ସ୍ଥାନ। ଏଠାରେ ସେ ୧ ଦଶନ୍ଧିରୁ ଅଧିକ ସମୟ ଧରି ରହିଥିଲେ। ପରିବେଶର ସୁରକ୍ଷା ପାଇଁ ଗାନ୍ଧୀ ଓ ତାଙ୍କ ସହକର୍ମୀମାନେ ସେଠାରେ ବହୁସଂଖ୍ୟାରେ ବୃକ୍ଷରୋପଣ କରିଥିଲେ। ବହୁ ଦୂରରୁ ପାଣି ଆଣି ଲଗାଇଥିବା ଚାରାଗୁଡ଼ିକୁ ବଡ଼ କରିଥିଲେ। କିନ୍ତୁ ଆସନ୍ତା ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜନ୍ମବାର୍ଷିକୀ ପାଳନ ପାଇଁ ବହୁସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିବେ। ଏଥିପାଇଁ ରାଜ୍ୟ ସରକାର ୱାର୍ଧାଠାରୁ ସେବାଗ୍ରାମ ଆଶ୍ରମ ପର୍ଯ୍ୟନ୍ତ ୯ କିମି ରାସ୍ତାର ପ୍ରଶସ୍ତୀକରଣ ଯୋଜନା କରିଛନ୍ତି। ଏଥିପାଇଁ ଗଛ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ରାସ୍ତାର ଓସାର ୧୦ ଫୁଟରୁ ୧୪ ଫୁଟକୁ ବଢ଼ାଇବା ପାଇଁ ୧୬୮ଟି ଗଛ କାଟିବା ଯୋଜନା ରହିଛି। ଏପରିକି ଲକଡାଉନ୍ ସମୟରେ ରାଜ୍ୟ ସରକାର ୭୦ଟି ଗଛ କାଟି ଦେଇଛନ୍ତି।

ଏହା ଜାଣିବା ପରେ ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କ ସମେତ ଅନ୍ୟ ସଦସ୍ୟମାନେ ରାଜ୍ୟ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି। ଗାନ୍ଧୀ ପରିବାରର ୩ ପିଢ଼ି ଯଥା ଇଲା ଗାନ୍ଧୀ, ଅରୁଣ ଗାନ୍ଧୀ, ରାଜମୋହନ ଗାନ୍ଧୀ, ଗୋପାଳକୃଷ୍ଣ ଗାନ୍ଧୀ, କସ୍ତୁରୀ ଗାନ୍ଧୀ ଓ ତୁଷାର ଗାନ୍ଧୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପୂର୍ତ୍ତ ମନ୍ତ୍ରୀ ଅଶୋକ ଚୌହାନ ଓ ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଚିଠି ଲେଖି ଗଛ କଟା ବନ୍ଦ କରିବା ପାଇଁ କହିଛନ୍ତି। ୱାର୍ଧାରୁ ସେବାଗ୍ରାମକୁ ଚାଲି ଚାଲି ଆସୁଥିବା ଲୋକମାନଙ୍କୁ ଛାଇ ଓ ଆଶ୍ରୟ ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ଓ କସ୍ତୁରବା ଗାନ୍ଧୀ ଏହି ଗଛ ଲଗାଇଥିଲେ ବୋଲି ସେମାନେ କହିଛନ୍ତି। ତେଣୁ ଏହି ପୁରୁଣା ଓ ଐତିହାସିକ ଗଛଗୁଡ଼ିକୁ ନକାଟିବା ପାଇଁ ଗାନ୍ଧୀ ପରିବାର ସଦସ୍ୟମାନେ ଦାବି କରିଛନ୍ତି। ତେବେ ଏହି ଚିଠି ପାଇବା ପରେ ମହାରାଷ୍ଟ୍ର ସରକାର ଗଛ କାଟିବା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଏପରିକି ଏହି ଗଛ କାଟିବା ପାଇଁ ରହିଥିବା ନିୟମକୁ ପୂର୍ତ୍ତ ବିଭାଗ ପାଳନ କରିନାହିଁ। ଗଛ ନକାଟିବା ପାଇଁ ଗାନ୍ଧୀବାଦୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe