File photo dated 31/10/17 of International Development Secretary Priti Patel, who has apologised for taking time out of a family holiday to meet Israeli prime minister Benjamin Netanyahu and other politicians without telling the Foreign Office in advance.
ଲଣ୍ଡନ: ବ୍ରିଟେନର ଭାରତୀୟ ବଂଶୋଦ୍ଭବ କ୍ୟାବିନେଟ୍ ମନ୍ତ୍ରୀ ପ୍ରୀତି ପଟେଲ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପ୍ରୀତି ତାଙ୍କ ପଦରୁ ଇସ୍ତଫା ଦେବାପରେ ବ୍ରିଟିସ ସରକାରରେ ରାଜନୈତିକ ସଙ୍କଟ ବଢ଼ିଯାଇଛି। ପ୍ରୀତିଙ୍କ ଇସ୍ରାଏଲ ଗସ୍ତକୁ ନେଇ ବିବାଦ ଘନେଇଥିଲା। ସେ ଗୁପ୍ତଭାପେ କିଛି ଇସ୍ରାଏଲ୍ ରାଜନେତା ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ବୈଠକ କରିଥିବା ଅଭିଯୋଗରେ ତାଙ୍କୁ କ୍ଷମାପ୍ରାର୍ଥନା କରିବାକୁ ବାଧ୍ୟ କରାଯାଇଥିଲା। ଏଥିଲାଗି ପ୍ରୀତି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ମାଇକେଲ ଫାଲନ୍ ଯୌନ ନିର୍ଯାତନା ଅଭିଯୋଗରେ ଗତ ବୁଧବାର ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଏବଂ ବିଦେଶ ସଚିବ ବୋରିସ ଜନସନ୍ ମଧ୍ୟ ଏକ ସଂସଦୀୟ ସିଲେକ୍ଟ କମିଟିକୁ ବିବାଦୀୟ କମେଣ୍ଟ୍ ଦେଇଥିବାରୁ ତାଙ୍କ ଇସ୍ତଫା ଦାବି କରାଯାଇଛି। ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ସଙ୍କଟ ବଢ଼ିଯାଇଛି। ଓ୍ଵିଥାମ୍ର ଏସେକ୍ସ ନିର୍ବାଚନ ମଣ୍ଡଳୀର ସାଂସଦ ପଟେଲ୍ ୨୦୧୦ ମସିହାରେ ସଂସଦକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ଲଣ୍ଡନ୍ରେ ଜନ୍ମିତ ୪୫ ବର୍ଷୀୟା ପ୍ରୀତି ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କେମରନଙ୍କ ଦ୍ୱାରା ବ୍ରିଟିଶ ଭାରତୀୟ ସମ୍ପ୍ରଦାୟ ଲାଗି ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଘନିଷ୍ଠ କରିବା ଉଦ୍ଦେଶ୍ୟରେ କେମରନ ତାଙ୍କୁ ନିଯୁକ୍ତି ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସେ ବଳିଷ୍ଠ ଭୂମିକା ନିର୍ବାହ କରୁଥିଲେ।
Follow Us