News Nation
ନୂଆଦିଲ୍ଲୀ: ଶାହିନ୍ ବାଗ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବା ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି ଆଜି ଅପରାହ୍ଣରେ ଶାହିନ୍ ବାଗ୍ ଯାଇ ସେଠାରେ ଆନ୍ଦୋଳନକାରୀମାନଙ୍କ ସହ ବିଚାର ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଶତାଧିକ ମହିଳା ଆନ୍ଦୋଳନକାରୀ ବିଗତ ପ୍ରାୟ ଦୁଇମାସରୁ ଉର୍ଦ୍ଧ୍ୱକାଳ ଧରି ଶାହିନ୍ ବାଗ୍ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନ ଚଳାଇଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ ସଂପୂର୍ଣ୍ଣ ରୂପେ ଠପ୍ ହୋଇ ପଡ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟ ସଞ୍ଜୟ ହେଗ୍ଡ଼େ ଓ ସାଧନା ରାମଚନ୍ଦ୍ରନଙ୍କୁ ନେଇ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ ଏବଂ ଆପୋସ ଆଲୋଚନା ମାଧ୍ୟମରେ ଏହି ସମସ୍୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।
ଏହି କ୍ରମରେ ଆଜି ଅପରାହ୍ଣରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା କମିଟିର ସଦସ୍ୟ ସଞ୍ଜୟ ହେଗ୍ଡ଼େ ଓ ସାଧନା ରାମଚନ୍ଦ୍ରନ ଶାହିନ୍ ବାଗ୍ ଯାଇ ଆନ୍ଦୋଳନକାରୀମାନଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଦେଖାଇବା ସହ ସେମାନଙ୍କ ସହ ଏସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ମଧ୍ୟସ୍ଥତା କମିଟିର ସଦସ୍ୟମାନେ ଆନ୍ଦୋଳନକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟ ରାସ୍ତା ଅବରୋଧ ନକରି ସେମାନଙ୍କ ଆନ୍ଦୋଳନକୁ ଅନ୍ୟ ସ୍ଥାନକୁ ଉଠାଇ ନେବାକୁ ପରାମର୍ଶ ଦେଇଛନ୍ତି।
 News Nationମଧ୍ୟସ୍ଥତା କମିଟିର ସଦସ୍ୟ ସଞ୍ଜୟ ହେଗ୍ଡ଼େ ଓ ସାଧନା ରାମଚନ୍ଦ୍ରନ ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆନ୍ଦୋଳନକାରୀ ମାନଙ୍କର ଆନ୍ଦୋଳନ କରିବା ପାଇଁ ସମସ୍ତ ପ୍ରକାରର ଅଧିକାର ରହିଛି। ତେଣୁ, ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଉପରେ କେହି ହସ୍ତକ୍ଷେପ କରିବେ ନାହିଁ। ଅନ୍ୟପକ୍ଷରେ ସିଏଏର ବୈଧତାକୁ ନେଇ ମଧ୍ୟ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି, ଯାହାକି ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ତେବେ, ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସାଧାରଣ ନାଗରିକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ କୋର୍ଟ ଏହି କମିଟି ଗଠନ କରିଛନ୍ତି। ଆମେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଏସମସ୍ୟାର ସମାଧାନ ପନ୍ଥା ବାହାରକରି ପାରିବୁ ବୋଲି ଆଶାବାଦୀ ଅଛୁ ବୋଲି ସେମାନେ କହିଛନ୍ତି।
  
 Follow Us