News Nation
ନୂଆଦିଲ୍ଲୀ : ଅନୁସୂଚିତ ଜାତି (ଏସ୍ସି), ଅନୁସୂଚିତ ଜନଜାତି (ଏସ୍ଟି) ଓ ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ମାମଲାରେ ତୁରନ୍ତ ପଦକ୍ଷେପ ନିଅ। ଶୁକ୍ରବାର ଦିନ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି।
ପତ୍ରରେ ଉଲ୍ଲେଖ କରାଯାଇଛି, ଉପରୋକ୍ତ ବର୍ଗର ଲୋକମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଭାରତ ସରକାର ଚିନ୍ତାବ୍ୟକ୍ତ କରୁଛନ୍ତି। ପ୍ରୋଟେକସନ୍ ଅଫ୍ ସିଭିଲ୍ ରାଇଟ୍ସ (ପିସିଆର୍ ଆଇନ) ୧୯୫୫, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯କୁ କଡ଼ାକଡ଼ି କାର୍ଯ୍ୟକାରୀ କର। ଏସ୍ସି ଓ ଏସ୍ଟିଙ୍କ ବିରୋଧରେ ହେଉଥିବା ଅତ୍ୟାଚାରର ସଠିକ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍ସି ଓ ଏସ୍ଟିଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ସଂପର୍କରେ ସମ୍ମିଳନୀ, କର୍ମଶାଳା, ପ୍ରଶିକ୍ଷଣ ଜରିଆରେ ସଚେତନତା ସୃଷ୍ଟି କରିବା ପାଇଁ ପତ୍ରରେ କୁହାଯାଇଛି। ଏହି ବର୍ଗର ଲୋକଙ୍କ ବିରୋଧରେ ଅତ୍ୟାଚାର ମାମଲାରେ ଏଫ୍ଆଇଆର୍ ରୁଜୁ କରିବାରେ ଯେପରି ବିଳମ୍ବ ନ ହୁଏ ସେଥିପ୍ରତି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏସ୍ସି ଓ ଏସ୍ଟିଙ୍କ ପ୍ରତି ହେଉଥିବା ଅତ୍ୟାଚାର ମାମଲାର ବିଚାରରେ ବିଳମ୍ବକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ପାଇଁ କୁହାଯାଇଛି। ତଦାରଖ କମିଟି ବୈଠକରେ ଜିଲ୍ଲା ଓ ଦୌରାଜଜ୍ ଅଧ୍ୟକ୍ଷତା କରିବେ। ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ ଓ ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଏଥିରେ ଯୋଗ ଦେବେ। ଗତ ମାସ ୯ରେ ପିସିଆର୍ ଆଇନ ୧୯୫୫ ଏବଂ ଏସ୍ସି ଏବଂ ଏସ୍ଟି ଅତ୍ୟାଚାର ନିବାରଣ ଆଇନ-୧୯୮୯ର କ୍ରିୟାନ୍ବୟନ ସଂପର୍କରେ ଜାତୀୟ ସମୀକ୍ଷା କମିଟିର ୨୬ତମ ବୈଠକରେ ଆଲୋଚନା କରାଯିବା ପରେ ଆଜି ରାଜ୍ୟମାନଙ୍କୁ ପୁଣିଥରେ ଉପରୋକ୍ତ ଆଇନଗୁଡ଼ିକୁ ଦୃଢ଼ ଭାବେ କ୍ରିୟାନ୍ବୟନ କରିବା ପାଇଁ ପତ୍ର ଲେଖାଯାଇଛି।
Follow Us