The Indian Express
ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଜଣେ ଆଇଏଏସ୍ ଅଫିସରଙ୍କ ସମେତ ମୋଟ୍ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆଜି ସିବିଆଇକୁ ଅନୁମତି ଦେଇଛନ୍ତି। ୨୦୧୫ରେ ଆପ୍ ଦ୍ବାରା ଏକ ବେଆଇନ ଏଫ୍ବିୟୁ (ଫିଡବ୍ୟାକ୍ ୟୁନିଟ୍) ପ୍ରତିଷ୍ଠା କରାଯାଇଥିଲା। ରାଜନେତାଙ୍କ ଉପରେ ଗୁଇନ୍ଦାଗିରି କରିବାପାଇଁ ଏହାର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ପ୍ରୋଜେକ୍ଟ ପାଇଁ ଆବଣ୍ଟନ ହୋଇଥିବା ପାଣ୍ଠି ଆପ୍ ସରକାର ଦ୍ବାରା ହଡ଼ପ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ସିସୋଦିଆଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଏଲ୍ଜିଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା ଏବଂ ଏନେଇ ଏଲ୍ଜିଙ୍କୁ ଏକ ଚିଠି ଲେଖିଥିଲା। ସିବିଆଇ ଚିଠିରେ ଏହା ଦର୍ଶାଇଛି ଯେ ଆପ୍ ସରକାର ଏକ ‘ସିକ୍ରେଟ ସର୍ଭିସ ଫଣ୍ଡ୍’ ସୃଷ୍ଟି କରିଥିଲେ ଏବଂ ଏକ ଡିଟେକ୍ଟିଭ ଏଜେନ୍ସି ନିୟୋଜିତ କରିଥିଲେ। ସିବିଆଇ ଅଭିଯୋଗ ଅନୁଯାୟୀ ଏଫ୍ବିୟୁ କାର୍ଯ୍ୟକାରୀ କରିବାପାଇଁ ‘ସିକ୍ରେଟ ସର୍ଭିସ ଏକ୍ସପେଣ୍ଡିଚର’ ପାଇଁ ୧ କୋଟିର ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ପାଣ୍ଠିରୁ ଟଙ୍କା ଉଠାଇବାପାଇଁ ମିଥ୍ୟା ଭାଉଚର ବ୍ୟବହାର ହୋଇଥିବା ସିବିଆଇ ଅଭିଯୋଗ କରିଛି।
Follow Us