ନିୟନ୍ତ୍ରଣ ରେଖା ସ୍ଥିତି ନିୟନ୍ତ୍ରଣାଧୀନ, ଚୀନ୍‌ ସେନା ଆମ ସୀମାରେ ନାହାନ୍ତି: ରାଜନାଥ ସିଂହ

Advertisment
‘ମାହେ’ ସମାବର୍ତ୍ତନ ସମାରୋହରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ

Image Courtesy of CNBCTV18

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନୀ ସେନା ସହ ଭାରତୀୟ ଯବାନଙ୍କର ଲାଗି ରହିଥିବା ମୁହାଁମୁହିଁ ସ୍ଥିତି ଅବସରରେ ଚୀନ୍‌ ଭାରତର କିଛି ଅଂଶ ଦଖଲ କରିନେଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଥମରୁ କରି ଆସୁଥିବା ଅଭିଯୋଗକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଚୀନୀ ସୈନିକମାନେ ଭାରତୀୟ ସୀମା ପଟକୁ ଆଦୌ ପଶି ଆସିନାହାନ୍ତି ବୋଲି ରାଜନାଥ ଆଜି ସ୍ପଷ୍ଟ କରିଛନ୍ତି।

ଅପରପକ୍ଷେ, ୧୯୬୨ ମସିହାରୁ ୨୦୧୩ ଯାଏ ସୀମାରେ ଯାହା ସବୁ ଘଟି ଆସିଛି ସେ ସମ୍ପର୍କରେ କିଛି କହିବାକୁ ସେ ପସନ୍ଦ କରୁନାହାନ୍ତି ବୋଲି କହି ଏକ ସାକ୍ଷାତକାରରେ ପ୍ରତିରକ୍ଷାମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ତେବେ ସମ୍ପ୍ରତି ଆମ ଯବାନମାନେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅସୀମ ସାହସର ପରାକାଷ୍ଠା ଦେଖାଇଛନ୍ତି ଏବଂ ଚୀନୀ ସେନା ଆମ ଇଲାକାକୁ ପଶି ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ରାଜନାଥ କହିଛନ୍ତି। ଗଲଵାନ୍‌ ସଂଘର୍ଷ ପରେ ସେ ନିଜେ ଓ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ଯବାନମାନଙ୍କୁ ଭେଟି ପ୍ରକୃତ ଘଟଣା ବିଷୟରେ ଅବଗତ ହୋଇଛନ୍ତି। ମୋଟାମୋଟି ଭାବେ କୌଣସି ବି ଚୀନୀ ସୈନିକ ଆମ ଇଲାକାକୁ ମାଡ଼ି ଆସିନାହିଁ ବୋଲି ସେ ଜୋର୍ କରି କହିଛନ୍ତି।

ସେହିପରି ପାକ୍‌ ଅଧିକୃତ କାଶ୍ମୀରର ଗିଲଗିଟ୍‌-ବାଲତିସ୍ତାନକୁ ଇମ୍ରାନ ଖାଁ ସରକାର ପ୍ରଦେଶର ମାନ୍ୟତା ଦେବା ଘଟଣାରେ ମଧ୍ୟ ରାଜନାଥ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିଯିବା ପରେ ଅଜଣା ଭୟରେ ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କର ଛାତି ଏବେ ଧଡ଼ଧଡ଼ ହେଉଛି। ଏହି ଗିଲଗିଟ୍‌-ବାଲତିସ୍ତାନ ଭାରତର ଅଂଶବିଶେଷ ଏବଂ ତାହାର ସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe