Zee News
ବେଙ୍ଗାଲୁର: ଲିଙ୍ଗାୟତ ସଂପ୍ରଦାୟର ସନ୍ଥ ବାସବାଲୀଙ୍ଗ ସ୍ବାମୀଙ୍କର ୪୫ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ମୃତଦେହ ସୋମବାର ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କର୍ଣ୍ଣାଟକର ରାମନଗର ଜିଲ୍ଲାର କାଞ୍ଚୁଗଲ୍ ବନ୍ଦେ ମଠସ୍ଥିତ ତାଙ୍କ ଘରେ ଫାଶୀ ଲଗାଇ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ତାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏ ଜଣାପଡ଼ିନି। ପୁଲିସ୍ ତାଙ୍କ ଫୋନ୍କୁ ଟ୍ରେସ୍ କରି ଗତ କିଛି ଘଣ୍ଟା ମଧ୍ୟରେ ତାଙ୍କର ରେକର୍ଡିଂ ସବୁ ବାହାର କରୁଛି। ତେବେ ତାଙ୍କ ମୃତ୍ୟୁ ପରେ ସେହି ସ୍ଥାନରୁ ସେ ଲେଖିଥିବା ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର ହୋଇଛି। ସେହି ନୋଟ୍ରେ ସେ ଲେଖିଛନ୍ତି ଯେ କିଛି ଲୋକ ମିଶି ତାଙ୍କୁ ତାଙ୍କର ଆସନରୁ ହଟାଇବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ମରଣକୁ ବାଛି ନେଇଛନ୍ତି। କିଛି ଲୋକ ଏହି କାରଣରୁ ତାଙ୍କୁ ନିର୍ଯାତନା ଦେଉଥିବା କଥା ସେ ତାଙ୍କ ସୁଇସାଇଡ୍ ନୋଟ୍ରେ ପ୍ରକାଶ କରିଛନ୍ତି।
ବାସବାଲିଙ୍ଗ ସ୍ବାମୀ ଗତ ୨୫ ବର୍ଷ ହେବ ଲିଙ୍ଗାୟତ ସଂପ୍ରଦାୟର ମୁଖ୍ୟ ରହି ଆସିଛନ୍ତି। ତାଙ୍କ ମୃତ୍ୟୁ ପରେ କୁଦୁର ପୁଲିସ୍ ଷ୍ଟେସନ୍ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଗତକାଲି ସକାଳ ୬ଟା ସମୟରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା।
ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ କେଉଁ ଏକ ଘଟଣାକୁ ନେଇ କିଛି ଲୋକ ତାଙ୍କୁ ବ୍ଲାକ୍ମେଲ୍ କରୁଥିବାରୁ ସେ ମାନସିକ ଭାବେ ଚାପରେ ରହୁଥିଲେ ଓ ଶେଷରେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି।
Follow Us